ନବରଙ୍ଗପୁର: ରହସ୍ୟମୟ ଘଟଣା, ମିଛ ଘଟଣାକୁ ନେଇ ନାକେଦମ୍ ହେଲା ପୋଲିସ ଓ ପ୍ରଶାସନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ । ଉମରକୋଟ ବ୍ଲକ୍ ବୈପାରିଭଟ୍ଟା ଗ୍ରାମ ନିକଟସ୍ଥ ଭାମିନି ପଞ୍ଚାୟତର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ମହିଳା କିମ୍ବା ଯୁବତୀଙ୍କ ମୃତଦେହ ପୋତି ଦିଆଯାଇ ଥିବା ନେଇ ପୋଲିସକୁ ଜଣାଇଥିଲେ ସରପଞ୍ଚ । ଖବର ପାଇ ଉମରକୋଟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଏବଂ ଡାକ୍ତର ଟିମ୍ ସହାୟତାରେ ତଦନ୍ତ କରିଥିଲା । ମାତ୍ର ବହୁସମୟ ଧରି ଖୋଳିବା ପରେ ମଧ୍ୟ କୌଣସି ମୃତଦେହ ପାଇନଥିଲା ।
ତେବେ ଏପରି କେହି ଜାଣିଶୁଣି ପୋଲିସକୁ ଭକୁଆ ବନାଇବା ପାଇଁ କରିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଘଟଣାସ୍ଥଳରେ କିଛି ଚିରା କପଡା ପଡିବା ସହ ପାରିପାର୍ଶ୍ବିକ ପରିସ୍ଥିତି ଏପରି ଥିଲା, ଯେ କେହି ବି ଭାବିବ ଏଠାରେ ହତ୍ୟାକାଣ୍ଡ ଘଟିଛି । ତେଣୁ ରାତି ତମାମ ଗ୍ରାମବାସୀଙ୍କ ସହ ପୋଲିସ କର୍ମଚାରୀ ସେହିଠାରେ ଜଗି ରହିଥିଲେ । ପରଦିନ ସକାଳେ ପୋଲିସ ନିକଟସ୍ଥ ଗ୍ରାମର ଅନେକ ବ୍ୟକ୍ତିଙ୍କୁ କେହି ନିଖୋଜ ହୋଇଥିବା ନେଇ ପଚରା ଉଚରା କରିଥିଲା । କିନ୍ତୁ କେହି କିଛି ଜାଣି ନଥିବା କହିଥିଲେ । ଅପରାହ୍ନରେ କୋରାପୁଟରୁ ସାଇଣ୍ଟିଫିକ ଟିମ୍ ଆସି ସମସ୍ତଙ୍କ ଉପସ୍ଥିତିରେ ପୋତା ହୋଇଥିବା ସ୍ଥାନରେ ଖୋଳିବା ଆରମ୍ଭ କରିଥିଲେ ।
ବହୁ ସତର୍କତାର ସହିତ ଖୋଳିବା କାମ ମଧ୍ୟ ଆରମ୍ଭ ହେଲା । ପ୍ରାୟ ୨୦ ଘଣ୍ଟାର ଅପେକ୍ଷା ପରେ ପୋଲିସ ଓ ପ୍ରଶାସନକୁ ଏକ ଠକେଇର ସାମ୍ନା କରିବାକୁ ପଡ଼ିଥିଲା । ସେଠାରେ କୌଣସି ମୃତଦେହ ପୋତା ଯାଇ ନଥିଲା । ଏହି ଘଟଣା ଜଣ ସାଧାରଣ ତଥା ପ୍ରଶାସନିକ ସ୍ତରରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିଶ୍ଚୟ କୌଣସି ଖଳପ୍ରବୃତ୍ତିର ଲୋକ ଅଞ୍ଚଳବାସୀଙ୍କୁ କିମ୍ବା ପ୍ରଶାସନକୁ ନାକେଦମ କରିବା ପାଇଁ ଏହି ଯୋଜନା କରିଛନ୍ତି ? ଅନ୍ୟ ପକ୍ଷରେ ଏଭଳି କାମକୁ ନିନ୍ଦା କରାଯିବା ସହ ଏପରି କରି ପୋଲିସ, ପ୍ରଶାସନ ଓ ଡାକ୍ତରଙ୍କୁ ହଇରାଣ କରିବା ଠିକ୍ ନୁହଁ । କିଏ ଏଭଳି କାମ କରିଛି ତାର ତଦନ୍ତ କରିବା ଆବଶ୍ୟକ ରହିଛି ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି କହିଛନ୍ତି ଉମରକୋଟ ଓକିଲ ସଙ୍ଘ ସମ୍ପାଦକ ଶାନ୍ତନୁ ବାହିନୀପତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ