ରାଇରଙ୍ଗପୁର: ଦୁଇ ଛେଳି ଚୋରକୁ ଧରି ଉତ୍ତମ ମଧ୍ୟମ ଦେଇ ପୋଲିସକୁ ଜିମା ଦେଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା କେନ୍ଦୁଜୁଆଣି ଗ୍ରାମ ନିକଟସ୍ଥ ରୁଗୁଡିସାହିରୁ ଦିନ ଦ୍ୱିପ୍ରହର ସମୟରେ ଚାରି ଜଣ ଯୁବକ ଏକ କାର ଯୋଗେ ଦୁଇଟି ଛେଳିକୁ ନେଇ ଦ୍ରୁତ ଗତିରେ ପଳାଇ ଯାଉଥିବାବେଳେ ଅସନବଣୀ ଛକ ନିକଟରେ ଏକ ଟ୍ରାକ୍ଟର ଜରିଆରେ ଲୋକେ କାରଟିକୁ ଅଟକାଇବାରେ ସକ୍ଷମ ହୋଇଛନ୍ତି ।
ତେବେ ଘଟଣାସ୍ଥଳରୁ ଗାଡି ଛାଡି ଖସି ଯିବା ପାଇଁ ଚେଷ୍ଟା କରୁଥିବାବେଳେ ଗ୍ରାମବାସୀ ଦୁଇ ଜଣଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ସେହିପରି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣ ଖସି ପଳାଇ ଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଛେଳି ଚୋରିକରି ନେଇଯାଉଥିବା କାରକୁ ଉତ୍ୟକ୍ତ ଲୋକେ ଭାଙ୍ଗି ଦେଇଛନ୍ତି । ତେବେ ଠାକୁରମୁଣ୍ଡା ଅଞ୍ଚଳରେ ଗାଈ ଗୋରୁ ଛେଳି ମେଣ୍ଢା ଚୋରି ଦିନକୁ ଦିନ ବୃଦ୍ଧି ପାଉ ଥିବାବେଳେ କୌଣସି ଚୋର ଧରା ପଡିନଥିଲେ । ଫଳରେ ଆଜି ଚୋର(ଗୁରୁବାର) ଧରା ପଡିବା ପରେ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉତ୍ତମ ମଧ୍ୟମ ଦେଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳକୁ ଠାକୁରମୁଣ୍ଡା ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଦୁଇ ଚୋରକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ଧରା ପଡ଼ିଥିବା ଦୁଇ ଅଭିଯୁକ୍ତ ବାଦାମପାହାଡ ଥାନା ଦେଉଗାଁ ଅଞ୍ଚଳର ବୋଲି ପୋଲିସ କହିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ