ରାଇରଙ୍ଗପୁର: ମୟୁରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ବି ବ୍ୟାପିଲାଣି ଧଳା ଜହର କାରବାର । ଏ ନେଇ ରାଇରଙ୍ଗପୁର ଟାଉନ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ପାଖାପାଖି ୧୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ରାଇରଙ୍ଗପୁର ଟାଉନ ଥାନା ପୋଲିସ ।
ସହରରେ ଅବୈଧ ଡ୍ରଗ୍ସ କାରବାର ଚାଲୁଥିବା ଖବର ପାଇ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଆଜି (ବୁଧବାର) ସକାଳେ ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟ ପଛପଟୁ ଜଣେ ଯୁବକଙ୍କୁ ଗିରଫ କରିଛି। ଉକ୍ତ ଯୁବକଙ୍କ ପାଖରୁ ପାଖାପାଖି ୧୨ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଛଅ ଖଣ୍ଡ ଏଟିଏମ୍ କାର୍ଡ, ବିହାର ରାଜ୍ୟର ଜଣେ ଯୁବକଙ୍କ ନାଁ ରେ ଥିବା ଡ୍ରାଇଭିଂ ଲାଇସେନ୍ସ, ଗୋଟିଏ ମୋବାଇଲ, ଗୋଟିଏ ସିମ୍ କାର୍ଡ, ତିନୋଟି ରୂପାର ପୁରୁଣା ମୁଦ୍ରା ଓ ନଗଦ ୨୦୬୦ ଟଙ୍କା ପୋଲିସ ଜବତ କରିଛି।
ଗିରଫ ହୋଇଥିବା ଯୁବକ ଜଣକ ରାଇରଙ୍ଗପୁର ଟାଉନ ଥାନା ଠାକୁରାଣୀବେଡାର ଏମଡି ଦିଲଦାର ବୋଲି ଜଣାପଡିଛି । ତେବେ ଏହା ପଛରେ ଏକ ବଡ଼ ଧରଣର ରାକେଟ କାମକରୁଥିବା ଅନୁମାନ କରାଯାଉଥିବା ବେଳେ ରାଇରଙ୍ଗପୁର ଟାଉନ ପୋଲିସ ଛାନଭିନ୍ ଜାରି ରଖିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ