ମାଲକାନଗିରି: ସ୍କୁଲକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ । ବର୍ଷା ହେଲେ ଧାନ ବିଲ ଭଳି ଦେଖାଯାଉଛି ରାସ୍ତା । ଆଉ ଏଭଳି କାଦୁଅ ପଚପଚ, ପାଣି ସରସର ରାସ୍ତା ପିଲାଙ୍କୁ ଦେଇଛି ସରକାରଙ୍କ ଯୋଜନାକୁ ନିଆରା ଢଙ୍ଗରେ ତାତ୍ସଲ୍ୟ କରି ପ୍ରତିବାଦ କରିବା ପାଇଁ ଉପାୟ । ରାସ୍ତାରେ ଧାନ ରୋଇଛନ୍ତି ଛାତ୍ରଛାତ୍ରୀ ।
ସୂଚନା ଅନୁସାରେ ଅନେକ ଦିନ ଧରି ଖରାପ ରାସ୍ତାରେ ଚାଲି ଚାଲି ସ୍କୁଲକୁ ଯାତାୟତ କରୁଥିଲେ ମାଡ଼କାପଦର ଗ୍ରାମର ଛାତ୍ରଛାତ୍ରୀ । ହେଲେ ବର୍ଷା ଦିନ ଆସିବାରୁ ସେମାନଙ୍କ ବିଦ୍ୟାଳୟ ଯିବାରେ ରାସ୍ତା ସାଜିଥିଲା ବାଧକ । ବର୍ଷା ଦିନ ଆସିଲେ ସେମାନଙ୍କ ସ୍କୁଲ ଯିବା ଆସିବା ରାସ୍ତାଟି ପାଲଟିଯାଏ କାଦୁଅ ଭରା ଜମି ସଦୃଶ୍ୟ । କିଛି ଦିନ ତଳେ ହିଁ ଆରମ୍ଭ ହୋଇଥିଲା ରାସ୍ତା କାମ । ହେଲେ ଶୀଘ୍ର ବର୍ଷା ଆସିଯାଇଥିବାରୁ ରାସ୍ତା କାମ ହୋଇପାରିନଥିଲା। ତେଣୁ କାଦୁଅ ପଚପଚ ରାସ୍ତାରେ ନିୟମିତ ମାଡ଼କାପଦର ସ୍କୁଲକୁ ଯାତାୟତ କରୁଛନ୍ତି ଛାତ୍ରଛାତ୍ରୀ । ମାଡ଼କାପଦର ପଞ୍ଚାୟତର ସଦର ମହକୁମା ଠାରୁ କିଛି ଦୂରରେ।
କନ୍ଧଗୁଡା, ଧଉଡାକୁଟ, ବାଘଖଦ୍ରାର ଛାତ୍ରଛାତ୍ରୀ କାଦୁଅ ପଚପଚ ରାସ୍ତାରେ ଯାତାୟତ କରୁଥିବାବେଳେ ଆଜି ଏଭଳି ଅଭିନବ ଉଦ୍ୟମ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଏଭଳି ଉଦ୍ୟମକୁ ଗ୍ରାମବାସୀ ଏବଂ ଅଭିଭାବକ ମଧ୍ୟ ସମର୍ଥନ ଜଣାଇଛନ୍ତି । ଉପାନ୍ତ ଅଞ୍ଚଳମାନଙ୍କରେ ସରକାର ଅନେକ ବିକାଶ କରୁଥିବାର ଡିଣ୍ଡିମ ପିଟୁଥିବାବେଳେ ଛାତ୍ରଛାତ୍ରୀଙ୍କ ଏହି ଧାନ ରୁଆ ଏବେ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ