କୋରାପୁଟ: କୋରାପୁଟ ଜିଲ୍ଲା ସଦର ମହକୁମାରେ ଜାତୀୟ ରାଜପଥରୁ ଏକ ପିକ ଅପ ଭ୍ୟାନ ଚୋରି । କିଛି ଯୁବକ ପିକ ଅପ ଭ୍ୟାନକୁ ଅପହରଣ କରି ନେଇଯାଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ତେବେ ପୋଲିସ ସେହି ଭ୍ୟାନକୁ ଠାବ କରିବା ସହ ଅପହରଣ କରିଥିବା ତିନିଜଣ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ନନ୍ଦପୁର ବ୍ଲକର ଥୁବା ଠାରୁ ପଣସ ବୋଝେଇ ପିକ ଅପ ଭ୍ୟାନ କୋରାପୁଟ ଦେଇ ଯାଉଥିବା ବେଳେ ଏହି ଗାଡିଟିରେ ଗଞ୍ଜେଇ ଚାଲାଣ ହେଉଥିବା ଭାବି ନେଇ କୋରାପୁଟର ଅଭିଯୁକ୍ତ ଯୁବକମାନେ ଭ୍ୟାନର ଡ୍ରାଇଭରକୁ ମାରଣାସ୍ତ୍ର ଦେଖାଇ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ସେଠାରେ ଡ୍ରାଇଭର ଠାରୁ 53 ହଜାର ଟଙ୍କା ନେବା ପରେ ଗାଡିରେ ପଣସ ଥିବା ଜାଣିବା ପରେ ଗାଡିକୁ ସେଠାରେ ଛାଡି ଚାଲିଯାଇଥିଲେ ।

ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଗାଡିର ମାଲିକଙ୍କ ଅଭିଯୋଗ ଆଧାରରେ ତଦନ୍ତ କରି ପୋଲିସ ଅଭିଯୁକ୍ତ ତିନି ଯୁବକଙ୍କୁ ଧରିବା ସହ ତାଙ୍କ ଠାରୁ 53 ହଜାର ଟଙ୍କା ଜବତ କରିଛି । ଫେରାର ଥିବା ଆଉ କିଛି ଅଭିଯୁକ୍ତଙ୍କୁ ମଧ୍ୟ ଅତି ଶୀଘ୍ର ଧରାଯିବ ବୋଲି କୋରାପୁଟ ଏସଡିପିଓ ମନୋଜ ପୂଜାରୀ କହିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, କୋରାପୁଟ