କୋରାପୁଟ: ରାତି ପାହିଲେ ମହାଦେବଙ୍କ ମହାଶିବରାତ୍ରି । ସରକାରୀ ଓ ବେସରକାରୀ ପ୍ରୋତ୍ସାହନରେ ଉତ୍ସବ ମୁଖରିତ ହେବ ଦେଶର ବିଭିନ୍ନ ଶୈବ ପୀଠ । ସେପଟେ କୋରାପୁଟ କୁଟୁଣୀପଦର ମାଟି ଭିତରୁ ଫୁଟି ଉଠିଥିବା ସହସ୍ରାଧିକ ଶିବ ଲିଙ୍ଗକୁ ଦେଖିବା ପାଇଁ ଭାବ ବିହ୍ବଳ ଭକ୍ତ । ଲକ୍ଷ୍ମୀପୁର ବ୍ଲକ କୁଟୁଣୀପଦର ଗାଁର ଟିକି ପାହାଡରେ କାହିଁ କେଉଁ କାଳରୁ ରହିଛି ଅନେକ ଛୋଟବଡ ଶିବ ଲିଙ୍ଗ ସହିତ ପଥରରେ ନିର୍ମିତ ଜଗନ୍ନାଥ, ଗଣେଶ, ବ୍ରହ୍ମା ଓ ଅନନ୍ତ ଶୟନରେ ଥିବା ବିଷ୍ଣୁଙ୍କ ପ୍ରତିମୂର୍ତ୍ତି । ଏହି ବହୁପୁରାତନ ଅପୂର୍ବ କୀର୍ତିରାଜି ଭକ୍ତଙ୍କୁ ଏଠାକୁ କରିଥାଏ ଆକୃଷ୍ଟ ।
ପାହାଡ ମଧ୍ୟରେ ଶୋଭା ପାଉଥିବା ଏହି ଭଗବତ ବିଭବ ସହିତ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଭରି ଦେଇଛି ଏଠାରେ ଥିବା ଅନେକ ଅଣ ଓସାରିଆ ଗୁମ୍ଫା । ପୁଣି ତା ଭିତରେ ଉଭା ହୋଇଥିବା ଅନେକ ଶିବଲିଙ୍ଗ । ତତ୍ ସହତ ରହିଛି ମା ତାରିଣୀଙ୍କ ଅନେକ ଖଣ୍ଡା । ଏହି ସ୍ଥାନ ରେ ଥିବା ବିବିଧତାକୁ ଦେଖିଲେ ଏହି ପୀଠ ଦେଶର ଏକ ପ୍ରମୁଖ ଆଧ୍ୟାତ୍ମିକ ସାଧନା ସ୍ଥଳୀ ଭାବେ ପରିଗଣିତ ହେବାର ସମସ୍ତ ସମ୍ଭାବନାକୁ ବହନ କରୁଥିବା ମତଦେଇଛନ୍ତି ଶ୍ରଦ୍ଧାଳୁ ।
ଏହି ପୀଠ ଜାତୀୟ ରାଜପଥ ଠାରୁ ପ୍ରାୟ 5 କିଲୋମିଟର ଦୂରରେ ଥିଲେ ହେଁ କୌଣସି ଯାନବାହନ ଚଳାଚଳ ହେଉନାହିଁ । ସେପଟେ ଏଠାରେ ପାନୀୟ ଜଳ, ଶ୍ରଦ୍ଧାଳୁଙ୍କ ବସିବା ପାଇଁ ବିଶ୍ରାମାଗାର ଏବଂ ମୂର୍ତ୍ତି ଗୁଡିକର ରକ୍ଷଣାବେକ୍ଷଣ କରିବା ଜରୁରୀ ହୋଇପଡିଛି । କିନ୍ତୁ ସମଗ୍ର ଭାରତବର୍ଷରେ ଚହଳ ପକାଇ ପାରିବାର ସମ୍ଭାବନାକୁ ବହନ କରୁଥିବା ଏହି ପୀଠ ପ୍ରତି ସରକାରୀ ଉଦାସୀନତା ଓ ଅବହେଳା ସମସ୍ତଙ୍କୁ ବ୍ୟଥିତ କରିଛି ।
ପ୍ରାୟ 50 ପରିବାର ରହୁଥିବା ଏହି ଛୋଟ ଗାଁର ବାସିନ୍ଦାଙ୍କ ପାଖରେ ଏହି ପୀଠକୁ ବିଶ୍ବବିଦିତ କରିବା ପାଇଁ ନା ଆର୍ଥିକ ବଳ ରହିଛି ବା ରାଜନୈତିକ ଶକ୍ତି । ସକାଳ ପାହିଲେ ଏହି ମନ୍ଦିରର ପୂଜକ ସୁନାରୀ କୂଳଦୀପ ଓ ସୂର୍ଯ୍ୟ କୂଳଦୀପ ଗାଁ ରେ ଘର ଘର ବୁଲି ଯାହା ପାଆନ୍ତି ତାକୁ ହିଁ ଆଧାର କରି ଏହି ସମସ୍ତ ଦେବାଦେବୀଙ୍କ ପୂଜା ସମ୍ପନ୍ନ କରିବା ସହିତ ଭୋଗ କରାନ୍ତି ।
ଜାତୀୟ ରାଜପଥ ଠାରୁ ପ୍ରାୟ 5 କିଲୋମିଟର ଦୂରରେ ଥିଲେ ହେଁ ଯାନବାହନ ଚଳାଚଳ ହେଉନଥିବା ଯୋଗୁଁ ପର୍ଯ୍ୟଟକଙ୍କ ପାଖରେ ନିଜସ୍ବ ବାହନ ନଥିଲେ ଏହି ପୀଠରେ ପହଞ୍ଚିବା ଅସମ୍ଭବ ହୋଇପଡିଛି । ପୀଠ ପାଖରେ ପାନୀୟ ଜଳ, ବସାଉଠା କରିବା ପାଇଁ ସୁନିୟୋଜିତ ବିଶ୍ରାମ ସ୍ଥଳୀ ତଥା ମୂର୍ତ୍ତି ଗୁଡିକର ରକ୍ଷଣାବେକ୍ଷଣ କରିବା ଜରୁରୀ ହୋଇପଡିଛି ।
କୋରାପୁଟ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଶୋଭା ପାଉଥିବା କୁଟୁଣୀପଦରକୁ ନେଇ ରାଜ୍ୟ ଗର୍ବ କରିପାରନ୍ତା । କିନ୍ତୁ ଏହି ପୀଠର ବିବିଧତା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦ୍ବାରା ନା ଗବେଷଣା ହେଉଛି ନା ପୀଠର ପ୍ରଚାର ପ୍ରସାର ଦିଗରେ ପର୍ଯ୍ୟଟନ ବିଭାଗ ଆନ୍ତରିକତା ଦେଖାଉଛି । ତଥାପି ଏହିପୀଠ ସମସ୍ତ ଅବହେଳା ସତ୍ତ୍ବେ ଦିନେ ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ଯେ ପାଲଟିବ ସେଥିରେ ସନ୍ଦେହ ନଥିବା ଭକ୍ତଙ୍କ ମଧ୍ୟରେ ଦୃଢ଼ ବିଶ୍ବାସ ରହିଛି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ