କୋରାପୁଟ: ରାୟପୁର-ବିଶାଖାପାଟଣା ଜାତୀୟ ରାଜପଥ । ରାସ୍ତା ପାଲଟିଛି ମରଣଯନ୍ତା । ସୃଷ୍ଟି ହୋଇଛି ବଡ଼ ବଡ଼ ଖାଲ ଖମା । ଆଉ ସୃଷ୍ଟି କରୁଛି କୃତ୍ରିମ ପୋଖରୀର ଭ୍ରମ । ଏହି ରାସ୍ତାରେ ପ୍ରାୟ ପ୍ରତିଦିନ ଯିବା ଆସିବା କରୁଛି ହଜାର ହଜାର ଗାଡ଼ି । ଖାଲି ସେତିକି ନୁହେଁ ଆମ୍ବୁଲାନ୍ସ ଯିବା ବେଳେ ବି କଷ୍ଟରେ ଯିବାକୁ ପଡୁଛି । ରାଜପଥକୁ ନେଇ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ । ଏନେଇ ବହୁବାର ସ୍ଥାନୀୟ ଲୋକେ ରାସ୍ତା ମରାମତି କରିବାକୁ ଅଭିଯୋଗ କରିଛନ୍ତି । ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିରବ ଦ୍ରଷ୍ଟା ପାଲଟିଯାଇଥିବା ଅଭିଯୋଗ ହୋଇଛି ।
ସେପଟେ ଯେଉଁ ସ୍ଥାନରେ ମରାମତି କରାଯାଉଛି ତାହା ବି ଅତି ନିମ୍ନମାନର ହୋଇଥିବା ଯୋଗୁଁ ଯାତ୍ରା ଅଧିକ ବିପଦ ସଂକୁଳ ହୋଇଉଠିଥିବା ଅଭିଯୋଗ ହୋଇଛି । ତେବେ ଜାତୀୟ ରାଜପଥ ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯାଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି ବୋଲି ଜଣାଇଛନ୍ତି ଜିଲ୍ଲାପାଳ ମଧୁସୂଦନ ମିଶ୍ର । ସେହିପରି କୋରାପୁଟ ସହର ମଧ୍ୟରେ ଗଳିକନ୍ଦିରେ ଥିବା ରାସ୍ତା ମଧ୍ୟ ଦୁର୍ଘଟଣାର କାରଣ ହେଉଥିବା ଅଭିଯୋଗ ହୋଇଛି । ଏ କ୍ଷେତ୍ରରେ ପୌରପରିଷଦ ତରଫରୁ କାର୍ଯ୍ୟ ଆରମ୍ଭ କରାଯାଇଥିବା ପୌର ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ ଜଣାଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ