କୋରାପୁଟ: ଢୋଲ, ବାଜାରେ କମ୍ପୁଛି କୋରାପୁଟ ସହର । ଚାଲିଛି ପାରମ୍ପାରିକ ଯାତ୍ରା ଲାଠିଯାତ୍ରା । ଦଶହରା ଆସିଲେ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଲୋକେ ଅପେକ୍ଷା କରନ୍ତି ଲାଠି ଯାତ୍ରା ଦେଖିବାପାଇଁ । କୋରାପୁଟର ଏହି ଲାଠି ଯାତ୍ରା ଏକ ଭିନ୍ନ ଯାତ୍ରା (Lathi yatra)। ଯେଉଁଠି ବାଉଁଶଖଣ୍ଡ ହୁଅନ୍ତି ଗ୍ରାମର ପ୍ରତିନିଧି । ଗ୍ରାମଦେବତୀ ଭାବେ ପୂଜା ପାଆନ୍ତି ବାଉଁଶଖଣ୍ଡ । ଗାଁ ଗୁଡ଼ିକରୁ ଲାଠି ଏକାଠି ନହେଲେ ଆରମ୍ଭ ହୁଏନି ଦଶହରା ।
କୋରାପୁଟରେ ପାଳନ ହେଉଥିବା ନିଆରା ଲାଠିଯାତ୍ରାରେ ଆଖପାଖ ୨୦ଟି ଗ୍ରାମରୁ ନିଜନିଜ ଗ୍ରାମଦେବୀଙ୍କ ପ୍ରତିନିଧି ସ୍ୱରୂପ ଆସିଥାନ୍ତି । ଲାଠି ସହିତ ଜଗନ୍ନାଥ ମନ୍ଦିରରେ ଶହଶହ ଆଦିବାସୀ ପରିବାର ପହଞ୍ଚିବା ପରେ ଆରମ୍ଭ ହୁଏ ଏହି ଯାତ୍ରା। ଗୁରୁମାଇଙ୍କ ଆଦିବାସୀ ଭାଷାରେ ଉଚ୍ଚାରିତ ମନ୍ତ୍ର ସହିତ ପାରମ୍ପରିକ ବାଦ୍ୟର ଝଙ୍କାର ମଧ୍ୟରେ ପାଳିତ ହୁଏ ଲାଠିଯାତ୍ରା ।
ବିଭିନ୍ନ ରଙ୍ଗର ପତ୍ରଫୁଲରେ ସଜେଇ ହୋଇଥିବା ବାଉଁଶ ଖଣ୍ଡେ ଗାଁ ଠାକୁରାଣୀଙ୍କ ପ୍ରତିନିଧି । ଦଶହରା ଦିନ ଏମିତି ଲାଠିପ୍ରତିନିଧିଙ୍କ ସମାଗମ ହୁଏ ଶାବର ଶ୍ରୀକ୍ଷେତ୍ର କୋରାପୁଟରେ । ଆଖପାଖ ଗାଁ ଗୁଡ଼ିକରୁ ଆସେ ଏହି ଲାଠି । ଲାଠି ଧରନ୍ତି ଗାଁ ଦିଶାରୀ । ସାଥିରେ ଥାନ୍ତି ଗାଁର ପୁରୁଷ ଓ ମହିଳା । ଦୀର୍ଘ ଦୁଇବର୍ଷ ଧରି ବନ୍ଦ ରହିଥିବା ଏହି ଯାତ୍ରା ଚଳିତବର୍ଷ କିନ୍ତୁ ଧୁମଧାମରେ ହୋଇଛି ।
ପ୍ରଥମେ ମାଆ ବିମଳାଙ୍କ ପାଖରେ ଧୂପଦୀପ ନୈବଦ୍ୟ ଅର୍ପଣ କରିବା ପରେ ଲମ୍ବା ଲାଠି ଗୁଡିକୁ ଧରି ବାଜାବାଜେଣି ସହ ସହର ପରିକ୍ରମା କରିଥାନ୍ତି । ଏହାପରେ କୋରାପୁଟର ଗ୍ରାମ ଦେବୀ ନିଶାଣୀ ମୁଣ୍ଡାଙ୍କ ପୀଠରେ ଆସି ଏକତ୍ରିତ ହୁଅନ୍ତି ।
ଇଟିଭି ଭାରତ, କୋରାପୁଟ