ଭୁବନେଶ୍ବର: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବୃକ୍ଷ ଭଗବାନ ଜ୍ୟୈଷ୍ଠ ପୂର୍ଣ୍ଣିମା ତିଥିରେ ପହଣ୍ଡି ବିଜେରେ ସ୍ନାନବେଦୀ ଉପରେ ବିରାଜମାନ କରିଥାନ୍ତି । 108 ସୁବାସିତ ଜଳରେ ସ୍ନାନ ପରେ ବେଦୀ ଉପରେ ପ୍ରସିଦ୍ଧ ଗଜାନନ ବେଶ ବା ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଶ୍ରୀଜଗନ୍ନାଥଙ୍କ କେଉଁ କାରଣରୁ ଶ୍ରୀଗଣପତିଙ୍କ ବେଶରେ ସଜ୍ଜିତ ହୁଅନ୍ତି। ଏହା ପଛରେ କଣ ତତ୍ତ୍ବ ରହିଛି । ଏହି ବେଶ ପଛରେ ଗୋଟିଏ ତତ୍ତ୍ବ ଓ ଗୋଟିଏ କିମ୍ବଦନ୍ତୀ ରହିଛି। ସେଥିମଧ୍ୟରୁ ଭକ୍ତର ଭାବକୁ ନେଇ ଏକ ସୁନ୍ଦର ତଥା ରୋଚକ କାହାଣୀ ମଧ୍ୟ ରହିଛି ।
ସମ୍ପୂର୍ଣ୍ଣ କାହାଣୀ ଏହିପରି । ମହାରାଷ୍ଟ୍ରର ଜଣେ ବ୍ରାହ୍ମଣ ଗଣପତି ଭଟ୍ଟ ଏକଦା ଶ୍ରୀକ୍ଷେତ୍ରର ମହିମା ଶ୍ରବଣ କରି ମହାବାହୁ କାଳିଆ ଦିଅଁଙ୍କୁ ଦର୍ଶନ ପାଇଁ ପୁରୀ ଆଗମନ କରିଥିଲେ । ସେ ଅଗ୍ରପୂଜ୍ୟ ଗଜାନନଙ୍କ ଭକ୍ତ ଥିଲେ। ଜଗନ୍ନାଥଙ୍କୁ ଦର୍ଶନ ପରେ ଦାରୁ ବିଗ୍ରହଙ୍କ ଠାରେ ନିଜ ଆରାଧ୍ୟ ଗଣପତିଙ୍କ ସ୍ବରୂପ ଦେଖି ନପାରି ସେ ପ୍ରଭୁଙ୍କୁ ବ୍ରହ୍ମ ବୋଲି ମାନିବାକୁ ଅସ୍ବୀକାର କରିବା ସହ ଦେଉଳ ତ୍ୟାଗ କରିଥିଲେ । ଯେଉଁଦିନ ସେ ମନ୍ଦିର ପରିତ୍ୟାଗ କରି ଫେରି ଯିବାକୁ ବସିଥିଲେ । ତାର ଠିକ୍ ପରଦିନ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଥିଲା ।
ଜଗନ୍ନାଥଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ। ଏହି ଦିନ ସ୍ନାନ ଯାତ୍ରା ସରିଲା ପରେ ଦୃଷ୍ଟି ଦାରୁ ବିଗ୍ରହ ଗଣପତି ରୂପ ଧାରଣ କରିଥିବା ଦୃଶ୍ୟମାନ ହୋଇଥିଲା । ଏହି ଅଦ୍ଭୂତ ଦୈବୀକ ଘଟଣା ଦେଖି ଗଣପତି ଭଟ୍ଟଙ୍କ ଜ୍ଞାନଚକ୍ଷୁ ଜାଗରିତ ହୋଇଥିଲା । ପ୍ରଭୁଙ୍କ ପଦାରବିନ୍ଦରେ ପ୍ରଣତି ଢାଳି ଭକ୍ତ କ୍ଷମାପ୍ରାର୍ଥୀ ଭାବରେ ଦଣ୍ଡାୟମାନ ହୋଇଥିଲା । ଏହାପରେ ଭକତର ପ୍ରାଣଧନ, ଭକତ ଜୀବର ଜୀବନ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କରିଥିଲେ । ତାହା ପରଠାରୁ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ବା ହାତୀ ବେଶ ଧାରଣ କରନ୍ତି।
ଅନ୍ୟ ଏକ ତତ୍ତ୍ବ ଅନୁସାରେ ରଥଯାତ୍ରାର ଆଦି ପର୍ବ ହେଉଛି ସ୍ନାନଯାତ୍ରା। ପାର୍ବତୀ ସୂତ ଗଣନାଥ ହେଉଛନ୍ତି ଅଗ୍ରପୂଜ୍ୟ। ଆଦ୍ୟ ପର୍ବରେ ଅଗ୍ରପୂଜ୍ୟଙ୍କ ରୂପ ଧାରଣ କରନ୍ତି ମହାପ୍ରଭୁ। ଗଣପତିଙ୍କ ଆବାହନ କରାଯାଏ ଏହି ରୂପ ମାଧ୍ୟମରେ। ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଶ୍ରୀ ବିଗ୍ରହ । ମାତ୍ର ମାତା ସୁଭଦ୍ରା କିନ୍ତୁ ଗଜାନନ ବେଶ ହୋଇନଥାନ୍ତି। ତାଙ୍କୁ ଅନ୍ୟ ଆଭୂଷଣରେ ଭୂଷିତ କରାଯାଇଥାଏ। କେହି କେହି ପଣ୍ଡିତଙ୍କ ଅନୁସାରେ ତିନି ଠାକୁର ସ୍ନାନ ମଣ୍ଡପରେ ଯଥାକ୍ରମେ ହରିଦ୍ରା ଗଣପତି, ଖଦିର ଗଣପତି ଓ ମାତଙ୍ଗୀ ରୂପରେ ବିରାଜମାନ କରିଥାନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ହାତୀ ବେଶ ଲାଗି ସାଜ ସରଞ୍ଜାମ ପୁରୀର ଗୋପାଳ ତୀର୍ଥ ମଠ ଓ ରାଘବଦାସ ମଠ ଯୋଗାଇ ଦେଇଥାନ୍ତି । ହାତୀବେଶ ପ୍ରସ୍ତୁତି ମୁଖ୍ୟତଃ ଧଳା, କଳା ରଙ୍ଗର ଭେଲଭେଟ ଓ ସିଲ୍କ କନା, ଜରି, ସୋଲ, କଦଳୀ ପଟୁକା, ଜମ୍ବୁରା, କଇଥ ଅଠା ପ୍ରଭୁତି ଉପକରଣ ଆବଶ୍ୟକ ହୋଇଥାଏ । ଏହି ବେଶ୍ ସ୍ନାନ ପରେ ହୋଇଥାଏ। ସେଥିପାଇଁ ତ କୁହାଯାଏ ଭାବଗ୍ରାହୀ ଭଗବାନ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ