ଖୋର୍ଦ୍ଧା: ଲଗାଣ ବର୍ଷାରେ ଫୁଲୁଛି ଦୟା ଓ ରାଜୁଆ ନଦୀ । ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଖୋର୍ଦ୍ଧାର ଦୟା ଓ ରାଜୁଆ ନଦୀ ଫୁଲୁଥିବା ଦେଖିବାକୁ ମିଳିଛି ।
ଯାହାଫଳରେ ଖୋର୍ଦ୍ଧା ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତର ଦୁଇ ଗାଁ ସମେତ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କିଛି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଏହି ପରିସ୍ଥିତିରେ ଯାତାୟତ ପାଇ ଏକମାତ୍ର ଭରସା ହେଉଛି କାଠ ଡଙ୍ଗା ।
ରାଜ୍ୟରେ ଲଗାଣ ବର୍ଷା ଫଳରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲା ମଧ୍ୟରେ ପ୍ରବାହିତ ହୋଇଥିବା ଦୟା ଓ ରାଜୁଆ ନଦୀ ଏବେ ଫୁଲିବାକୁ ଲାଗିଛି । ପ୍ରତି ଘଣ୍ଟାରେ ନଦୀର ଜଳସ୍ଥର ବୃଦ୍ଧି ପାଉଛି । ଏମିତିରେ ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତର ଦୁଇ ରାଜସ୍ବ ଗ୍ରାମ ବୁଢ଼ାଙ୍ଗରା ଓ ପଣ୍ଡିଆବିଲି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି ।
ଗ୍ରାମବାସୀ ସମ୍ଭାବ୍ୟ ବନ୍ୟାକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି । ଖାଲି ସେତିକି ନୁହେଁ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏମିତି ବର୍ଷା ଓ ବର୍ଷର ପାଞ୍ଚ ମାସ ସେମାନେ ଏଭଳି ଅବସ୍ଥାରେ ରହିଥାନ୍ତି । ସେମାନଙ୍କ ପାଇ ଯାତାୟତର ମାଧ୍ୟମ ଏକମାତ୍ର କାଠ ଡଙ୍ଗା । କେବଳ ଖୋର୍ଦ୍ଧା ଜିଲ୍ଲା ନୁହେଁ ବରଂ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କିଛି ଗାଁ ମଧ୍ୟ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ