କେନ୍ଦୁଝର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଯୁବକ ମୃତ । ଜିଲ୍ଲାର ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଖୁପାଳ ଗ୍ରାମ ବାଇପାସ ରାସ୍ତାରେ ସଡକ ଦୁର୍ଘଟଣା ଘଟି ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଏକ ଅଜଣା ଟ୍ରକ ସହ ବାଇକ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ସମୟରେ ହରିଚନ୍ଦନପୁର ବ୍ଲକ ହୁଣ୍ଡା ଗ୍ରାମର ନାଣ୍ଡୁ ପାତ୍ର ଓ ଟିକାୟତ ବେହେରା କୌଣସି କାମରେ ହରିଚନ୍ଦନପୁର ଆସି ଏକ ବାଇକରେ ଘରକୁ ଫେରିବା ସମୟରେ ଆଖୁପାଳ ବାଇପାସ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା ।
ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦୁଇଜଣ ଯୁବକଙ୍କୁ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଯାଇଥିଲା। ଖବର ପାଇ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ