କେନ୍ଦୁଝର: ରାଜ୍ୟ ସରକାର ଷ୍ଟିଲ ହବ୍ ନେଇ ପାଞ୍ଚୋଟି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପମାନ ଘୋଷଣା କରିଥିଲେ । ଏହି ଘୋଷଣାରେ କେନ୍ଦୁଝର ଜିଲ୍ଲାର କାରାଖେନ୍ଦ୍ରା ଠାରେ ୩ ଏମଟିଏ ଷ୍ଟିଲ ପ୍ଲାଣ୍ଟ ଅନ୍ତର୍ଭୁକ୍ତ । ଦୀର୍ଘଦିନ ଧରି କେନ୍ଦୁଝର ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ ନେଇ ଦାବି ହୋଇ ଆସୁଥିଲା । ଏହି ଦାବି ହାସଲ ପରେ କେନ୍ଦୁଝର ଜିଲ୍ଲାରେ ଏକ ପ୍ରକାର ଖୁସିର ଲହରୀ ଖେଳି ଯାଇଛି । ଏନେଇ ଶୁକ୍ରବାର କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଦରବାର ହଲ ଠାରେ ଏକ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଥିଲା ।
ଏହି ସଭାକୁ କେନ୍ଦୁଝର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ପରିଚାଳନା କରିଥିଲେ । ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଏବଂ ପୂର୍ବତନ ବିଧାୟକ ମଞ୍ଚରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଭିସି ଯୋଗେ ପରିଚାଳିତ ହୋଇଥିବା ଧନ୍ୟବାଦ ଅର୍ପଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ବି କେ ପାଣ୍ଡିୟାନ ଉପସ୍ଥିତ ରହି ଜିଲ୍ଲାର ବିକାଶ କ୍ଷେତ୍ରରେ ଷ୍ଟିଲ ପ୍ଲାଣ୍ଟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇଥିବା ବେଳେ କିଛି ବରିଷ୍ଠ ନାଗରିକ ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ ଧନ୍ୟବାଦ ଅର୍ପଣ କରିବା ସହ ନୂତନ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନର୍ସିଂ କଲେଜ ଘୋଷଣା କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହୋଇଥିବା ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମରେ ଶାସକ ଦଳର ବହୁ ନେତାଙ୍କ ସମେତ ବହୁ ମାନ୍ୟଗଣ୍ୟ ଲୋକ ଉପସ୍ଥିତ ଥିବାବେଳେ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଉପସ୍ଥିତ ନଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ