କେନ୍ଦ୍ରାପଡା: ତନ୍ତ୍ରପୂଜା କରିବା ଅଭିଯୋଗରେ ଗୁଣିଆକୁ କାବୁ କରି ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସୀ ଗାଁରେ ଗୁଣି ଗାରେଡି ଯାଦୁବିଦ୍ୟା ଅଭିଯୋଗରେ ଗୁଣିଆକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ତାନ୍ତ୍ରିକ ବଲେଇ ଘଡେଇକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୁସାରେ, ଏହି ଗାଁର ବିଶ୍ବନାଥ ମଣ୍ଡଳ ଓ ମନୋରଞ୍ଜନ ମଣ୍ଡଳ ଦୁଇ ପରିବାରଙ୍କ ମଧ୍ୟରେ ଜମିବାଡି ବିବାଦକୁ ନେଇ ଦୀର୍ଘଦିନର ଗଣ୍ଡଗୋଳ ଚାଲି ଆସୁଛି। ଗତକାଲି(ଶନିବାର) ବିଶ୍ବନାଥ ମଣ୍ଡଳ ପାରାଦ୍ବୀପ ଅଞ୍ଚଳରେ ରହୁଥିବା ଜଣେ ତାନ୍ତ୍ରିକ ବଲେଇ ଘଡେଇକୁ ନିଜ ଘରକୁ ଡାକି ଆଣି ତନ୍ତ୍ରପୂଜା କରିଥିଲେ ।
ଯାହାକୁ ଜାଣି ପାରିଥିଲେ ମନୋରଞ୍ଜନଙ୍କ ପତ୍ନୀ ବାସନ୍ତୀ ମଣ୍ଡଳ। ମନୋରଞ୍ଜନ ଘରେ ରହୁ ନଥିବାର ସୁଯୋଗରେ ଏହି ତନ୍ତ୍ରପୂଜା କରାଯାଉଥିବାରୁ ଘରେ ନିଜର ଦୁଇ ଛୋଟଛୋଟ ପୁଅଙ୍କୁ ନେଇ ରହୁଥିବା ବାସନ୍ତୀ ଭୟଭୀତ ହୋଇଯାଇଥିଲେ।
ତେବେ ବିଳମ୍ବିତ ରାତିରେ ତାନ୍ତ୍ରିକ ଜଣକ ପୂଜାପାଠ କରି ମଣିଷ ଖପୁରୀ ପରି ଦିଶୁଥିବା କିଛି ଜିନିଷ ମନୋରଞ୍ଜନଙ୍କ ବାଡିରେ ପୋତିଥିବା ଦେଖିଥିଲେ ବାସନ୍ତୀ । ଏହାପରେ ତାନ୍ତ୍ରିକ ଜଣକ ମନୋରଞ୍ଜନଙ୍କ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ବାସନ୍ତୀ ଓ ଅନ୍ୟ ଜଣେ ପଡୋଶୀ ମହିଳା ତାନ୍ତ୍ରିକକୁ କାବୁ କରି ନେଇ ପ୍ରାଣ ବିକଳରେ ଚିତ୍କାର କରିଥିଲେ।
ଏମାନଙ୍କ ଚିତ୍କାର ଶୁଣି ପଡିଶା ଲୋକେ ଉଠି ପଡି ମନୋରଞ୍ଜନଙ୍କ ଘର ନିକଟରେ ପହଞ୍ଚିଥିଲେ। ତେବେ ଏଭଳି ସ୍ଥିତିରେ ବାସନ୍ତୀ ଅଭିଯୋଗ କରିଛନ୍ତି, ତାଙ୍କ ସାନପୁଅକୁ ଏମାନେ ଘରୁ ଟେକି ନେଇ ପୂର୍ଣ୍ଣିମା ରାତିରେ ବଳି ଦେବାକୁ ଯୋଜନା କରିଥିଲେ ।
ତେବେ ବାସନ୍ତୀଙ୍କ ଠାରୁ ଏଭଳି ଅଭିଯୋଗ ଶୁଣିବା ପରେ ଗୁଣିଆକୁ ଦଉଡିରେ ବାନ୍ଧି ପକାଇଥିଲେ ଗାଁଲୋକେ। ରବିବାର ସକାଳୁ କଥା ପ୍ରଘଟ ହେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ତାନ୍ତ୍ରିକ ବଲେଇ ଘଡାଇକୁ ଗିରଫ କରିବା ସହ ମଣିଷ ହାଡ ଓ ବିଭିନ୍ନ ପୂଜା ସାମଗ୍ରୀ ସହ ଭଙ୍ଗା ପାନ ଓ ଚେରମୂଳି ଉଦ୍ଧାର କରିଛି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ