ଭବାନୀପାଟଣା: ଭାଦ୍ରବ ମାସ ହେଲାଣି ମାତ୍ର ବର୍ଷାର ଦେଖାନାହିଁ । ମୌସୁମୀର ଲୁଚକାଳି ସହ ନିଅଣ୍ଟିଆ ବର୍ଷା ଯୋଗୁଁ କେନାଲର ତଳ ମୁଣ୍ଡକୁ ପାଣି ପହଞ୍ଚି ପାରୁନଥିବା କାରଣରୁ ଅନେକ ଜମି ପଡିଆ ପଡିଛି । କେନାଲରୁ ପାଣି ଯୋଗାଣ ପାଇଁ ଚାଷୀ ଅନେକ ଥର ବିଭାଗୀୟ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମରୁଡି ପ୍ରପୀଡ଼ିତ ଗାଁ ସାନ ପୋଡ଼ାଗୁଡା ଗ୍ରାମ ଇଷ୍ଟଦେବୀଙ୍କ ଦ୍ବାରସ୍ଥ ହୋଇ ବର୍ଷା ପାଇଁ ପୂଜାର୍ଚ୍ଚନା କରିଛନ୍ତି ।
ଅଗଷ୍ଟ ମାସ ପ୍ରଥମ ବର୍ଷାରେ ମୌସୁମୀ ବର୍ଷାର ପରିମାଣ ସ୍ବାଭାବିକ ହୋଇପାରିନାହିଁ । ପାଣି ଅଭାବ ଯୋଗୁଁ କେଉଁଠି ଚାଷ ନଷ୍ଟ ହେବାକୁ ବସିଲାଣି ତ ପୁଣି ଆଉ କେଉଁଠି ସମ୍ପୂର୍ଣ୍ଣ ଚାଷ କାମ ଆରମ୍ଭ ହୋଇ ପାରିନାହିଁ । ଆକାଶରେ ମେଘ ଥିଲେ ମଧ୍ୟ ବର୍ଷା ପାଣିର ଛିଟା ମଧ୍ୟ ମିଳୁନି ଯାହାକୁ ନେଇ ଚାଷୀ ମୁଣ୍ଡରେ ହାତ ମାରି ବସିଛି । ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ମରୁଡି ପ୍ରପୀଡ଼ିତ ଗାଁ ସାନ ପୋଡ଼ାଗୁଡାରେ ଏଭଳି ସମସ୍ୟା ଦେଖାଦେଇଛି ।
ଏହା ମଧ୍ୟ ପଢ଼ନ୍ତୁ: ପୁଣି ଭୁଶୁଡିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ: ବୁଡିଲା ଜମି, ଘରେ ପସିଲା ପାଣି
ଏହିଗାଁରେ ପ୍ରତ୍ୟେକ ବର୍ଷା ମରୁଡି ପରିସ୍ଥିତି ସୃଷ୍ଟି ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଇନ୍ଦ୍ରାବତୀ ଉଠା ଜଳ ସେଚନ ପ୍ରକଳ୍ପ ଦ୍ବାରା ଗାଁର ଚାଷ ଜମିକୁ ଜଳ ଯୋଗାଣ ପାଇଁ କେନାଲ ନିର୍ମାଣ ମଧ୍ୟ ହୋଇଛି । ହେଲେ ବର୍ତ୍ତମାନ ସୁଦ୍ଧା ଗାଁକୁ କେନାଲ ପାଣି ଯୋଗାଣ ନ ହେବା ଫଳରେ ଗାଁର ହଜାର ହଜାର ଏକର ଚାଷ ଜମି ଏବେ ନଷ୍ଟ ହେବାକୁ ବସିଲାଣି । ଜମିକୁ ଜଳ ଯୋଗାଣକୁ ନେଇ ଚାଷୀ ବିଭାଗୀୟ ଅଧିକାରୀଙ୍କ ବାରମ୍ବାର ଦ୍ବାରାସ୍ଥ ମଧ୍ୟ ହୋଇଥିଲେ ।
ମାତ୍ର ସରକାରୀ ଅଧିକାରୀ ସେମାନଙ୍କ ସମସ୍ୟାକୁ କର୍ଣ୍ଣପାତ କରୁନଥିବାରୁ ଶେଷରେ ନିରାଶ ହୋଇ ଏବେ ଗାଁର ଇଷ୍ଟଦେବୀଙ୍କ ଠାରେ ଶରଣାପନ୍ନ ହୋଇଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ବିଶ୍ବାସ ରହିଛି ଯେ, ଗାଁର ଇଷ୍ଟଦେବୀ ଓ ମାଟି ମା'ଙ୍କୁ ପୂଜା କଲେ ଇନ୍ଦ୍ରଦେବଙ୍କ କୃପା ଦୃଷ୍ଟି ପଡିବ ଓ ଗାଁରେ ବର୍ଷା ହେବ । ଏହା ସହ ଭଲ ଫସଲ ହେବ ସେହି ଆଶାରେ ଗାଁର ଚାଷୀ ୩ ଦିନ ଧରି ଗାଁର ଇଷ୍ଟଦେବୀ ଓ ମାଟି ମା' ଙ୍କ ଠାରେ ପୂଜାର୍ଚ୍ଚନା କରୁଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି