ଯାଜପୁର: ଟ୍ରେନ ଧକ୍କାରେ ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ନୀଳାଚଳ ଇସ୍ପାତ କାରଖାନା ପରିସରରେ ଥିବା ଟ୍ରେନ ଲାଇନରେ । ମୃତ ମହିଳା ଜଣଙ୍କ ଜେନାପୁର ଥାନା ପାଇକରାପୁର ଗାଁର ଅନଙ୍ଗ ମଞ୍ଜରୀ ରାଉତ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଅନଙ୍ଗ ମଞ୍ଜରୀ ଏସଏମଏସ ସାଇଟର ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଥିଲେ । ଶନିବାର ସେ ଟ୍ରେନ ଲାଇନ ପାର ହେବା ସମୟରେ ମାଲବୋଝେଇ ଟ୍ରେନଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ମୃତକଙ୍କ ପରିବାରକୁ ସ୍ଥାୟୀ ଚାକିରୀ ଓ କ୍ଷତିପୂରଣ ଦାବି କରିଥିଲେ ଶ୍ରମିକ ସଂଘ । ଏଥିସହ ପରିବାର ଲୋକେ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ଅଭିଯୋଗ କରିଥିଲେ ।
ସେପଟେ ନୀଳାଚଳ ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିୟମ ମୁତାବକ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ