ଯାଜପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଦେଖାଦେଇଛି ରାଜନୈତିକ ଉଷ୍ମତା । କୋରାଇ ବ୍ଲକ୍ ତଥା ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନିର୍ବାଚନୀ ପ୍ରକ୍ରିୟା । ପଞ୍ଚାୟତ ଠାରୁ ଜିଲ୍ଲା ପରିଷଦ ଯାଏଁ ଆଶାୟୀ ପ୍ରାର୍ଥୀମାନେ ଦାଖଲ କରୁଛନ୍ତି ନିଜ ନିଜର ପ୍ରାର୍ଥୀପତ୍ର ।
ବିଜେଡି, କଂଗ୍ରେସ ଓ ବିଜେପି ଆଦି ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ବ୍ଲକ୍ ଦଖଲ କରିବାକୁ ନେଇ ଚାଲିଛି କଡା ପ୍ରତିଦ୍ବନ୍ଦିତା । ଦଳୀୟ ନେତା ଓ ପ୍ରାର୍ଥୀ ସେମାନଙ୍କର ପ୍ରଚାର ଅଭିଯାନ ଜାରି ରଖି ଥିବାବେଳେ ଅନ୍ୟ କେତେକ ଦଳ ଓ କିଛି ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଏହି ପ୍ରକ୍ରିୟାରୁ ବାଦ୍ ପଡିନାହାନ୍ତି । କୋରାଇ ନିର୍ବାଚନ ମଣ୍ଡଳୀର ପ୍ରାୟ 8ରୁ ଉର୍ଦ୍ଧ ପଞ୍ଚାୟତ ହେଉଛି ବନ୍ୟାପ୍ଲାବିତ ଅଞ୍ଚଳ । ବନ୍ଧବାଡ ଓ କ୍ଷୟୟତି ସାଙ୍ଗକୁ, ରାସ୍ତାଘାଟ, ପାନୀୟ ଜଳ, ରାସ୍ତା ଆଲୋକ, ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟା ଆଦିକୁ ଦଳମାନେ ନିର୍ବାଚନୀ ଇସ୍ୟୁ ଓ ଇସ୍ତାହାରକୁ କରିଛନ୍ତି ।
ଚଳିତ ଥର ଏହି ନିର୍ବାଚନ ମଣ୍ଡଳୀରେ କୋରାଇ ବ୍ଲକର 3ଟି ଜିଲ୍ଲାପରିଷଦ ଜୋନ୍ ଯଥା 1ନଂ, 2ନଂ, ଓ 3ନଂ ଓ ରସୁଲପୁର 33ନଂ ଜୋନକୁ ମିଶାଇ ମୋଟ୍ 4ଟି ଜୋନ ପାଇଁ ହେବ ନିର୍ବାଚନ । ଯେଉଁଥିରେ କୋରାଇ ବ୍ଲକର 28ଟି ଓ ରସୁଲପୁର ବ୍ଲକର 9ଟି ପଞ୍ଚାୟତ ପାଇଁ ନିର୍ବାଚନ ହେଉଥିବା ସୂଚନା ମିଳିଛି । କୋରାଇ ବ୍ଲକର 28ଟି ପଞ୍ଚାୟତର ଲୋକସଂଖ୍ୟା ଅନ୍ୟୁନ 1ଲକ୍ଷ 23ହଜାର 933 ହୋଇଥିବା ବେଳେ ଭୋଟର ସଂଖ୍ୟା ରହିଛି 1ଲକ୍ଷ 56ହଜାର 923 ।
ରସୁଲପୁର ବ୍ଲକ ଆଂଶିକ 9ପଞ୍ଚାୟତର ଲୋକସଂଖ୍ୟା 60ହଜାରରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ଭୋଟର ସଂଖ୍ୟା ରହିଛି ପାଖାପାଖି 45 ହଜାର । ଗତଥର କୋରାଇ ବ୍ଲକର ଅଧ୍ୟକ୍ଷ ପଦ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଚଳିତ ଥର ଜରିଜନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ