ଯାଜପୁର: କୋରୋନା ମାଡରେ ପ୍ରଭାବିତ ହୋଇଛି ହସ୍ତତନ୍ତ ଶିଳ୍ପୀ ବା ବୁଣାକାର । ଐତିହ୍ୟସମ୍ପନ୍ନ ଚୟନକଳାକୁ ଯୁଗ ଯୁଗ ଧରି ବଞ୍ଚାଇ ଆସିଥିବା ଯାଜପୁର ରସଲପୁର ବ୍ଲକ ଗୋପାଳପୁର ଗାଁର ବୁଣାକାର ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି । ଚାଷ ପରେ ରାଜ୍ୟର ଦ୍ବିତୀୟ ବୃତ୍ତି ଭାବେ ସର୍ବାଧିକ ଲୋକଙ୍କୁ ରୋଜଗାର ଦେଇଥାଏ ହସ୍ତତନ୍ତ ଶିଳ୍ପ । ଏଥି ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ହସ୍ତତନ୍ତ ଆଜି ନିଜର ପରିଚୟ ଖୋଜୁଛି । ଏହି ବୃତ୍ତିକୁ ନେଇ ଗାଁର ଲୋକ ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ କୋରୋନା ଯୋଗୁଁ ଯେଉଁ ଦୁଇ ପଇସା ରୋଜଗାର ହେଉଥିଲା ତାହା ଠପ ହୋଇଗଲା । ଦୀର୍ଘ ଦୁଇ ବର୍ଷ ଧରି ଅଭାବ ଅନଟନରେ ଦିନ କାଟୁଛନ୍ତି ଗୋପାଳପୁରର ୨ହଜାର ବୁଣାକାର ପରିବାର । କୋରୋନା ମହାମାରୀ ଯୋଗୁ ବୁଣାଯାଇଥିବା ବସ୍ତ୍ର ବାହାରକୁ ଯାଇପାରୁନି କି ଆବଶ୍ୟକୀୟ ସୂତା ବା ମେଟ୍ରିଆଲସ ଆସିପାରୁନି । ଯାହାକୁ ନେଇ ଚିନ୍ତାରେ ଏବେ ବୁଣା କାର ।
କୋଭିଡ କଟକଣା ଯୋଗୁଁ ପଡିରହିଛି ବୁଣାଯାଇଥିବା ବସ୍ତ୍ର ସବୁ । ଅନ୍ୟ ପଟେ ବସ୍ତ୍ର ସବୁ ପଡି ରହିଥିବାରୁ ଦୁଇ ପଇସା ପାଇ ପାରୁନାହାନ୍ତି ବୁଣାକାର । ମିଲ ଉତ୍ପାଦିତ ବସ୍ତ୍ର ଅପେକ୍ଷା ସ୍ୱାଭାବିକ ହାତବୁଣା ଲୁଗାର ଦାମ ଅଧିକ ଯୋଗୁଁ ଏହାର ବିକ୍ରିବଟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ସମୟରେ ଦିନକୁ ଦୁଇ ଶହ ଟଙ୍କା ମଜୁରୀ ମିଳିବା କଷ୍ଟକର ହୋପଡିଛି। ସେପଟରେ ବୁଣାକାର ମାନେ ବୃତି ଛାଡୁଥିବା ବେଳେ GST ଲାଗୁ ଯୋଗୁଁ ସେମାନଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇପଡିଛି ବୋଲି ସ୍ଥାନୀୟ ବୁଣାକାର କହିଛନ୍ତି ।
ଖାଲି ସେତିକି ନୁହେଁ ବୁଣାକାର ଚାହିଦା ଅନୁସାରେ ନ୍ୟାସନାଲ ହ୍ୟାଣ୍ଡଲୁମ ଡେଭଲପମେଣ୍ଟ କର୍ପୋରେସନ GST ଲାଗୁପରେ ଦୀର୍ଘ ଚାରି ମାସ ହେବ ସୂତା ଯୋଗାଇ ପାରୁନି ।ଏପଟରେ ଏହି କମ୍ପାନୀ ନ କିଣିଲେ ହସ୍ତତନ୍ତ ଉପରେ ରିହାତି ମିଳିପାରିବ ନାହିଁ । ବାହାରକୁ ବସ୍ତ୍ର ଯାଇପାରୁ ନଥିବାରୁ ଆମେ ତାଙ୍କଠାରୁ କିଣି ପାରୁନ କି ଆମେ ତାଙ୍କୁ ଅର୍ଥ ଦେଇପାରୁନାହୁଁ ବୋଲି ମାତାରିଣୀ ସୋସାଇଟି କର୍ମକର୍ତ୍ତା କହିଛନ୍ତି । ଏ ପଟରେ ଜିଲ୍ଳାପାଳ କହିଛନ୍ତି ଆମେ ପଠାଇ ଦେଇଛୁ ଖୁବ ଶୀଘ୍ର ତାଙ୍କ ସମସ୍ୟାର ସମାଧନ ହେବା ସହ କିପରି ଅଧିକ ଉନ୍ନତି ର ସହ କାର୍ଯ୍ୟ କରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ବୁଣାକାରଙ୍କ କାର୍ଯ୍ୟ ଉପରେ ନଜର ରଖିଛନ୍ତି । କିପରି ତାଙ୍କର ବୃତ୍ତିକୁ ବଞ୍ଚେଇ ରଖିବା ସହ ଅଧିକ ଦୁଇ ପଇସା ପାଇପାରିବେ ସେଥି ପ୍ରତି ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି ବୋଲି ଫୋନ ଯୋଗେ ଯାଜପୁର ଜିଲ୍ଲା ପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ।
ଜିଲ୍ଳା ପ୍ରଶାସନ ହେଉ ବା ରାଜ୍ୟ ସରକାର ଆମର ଦୁଃଖ କଥା ନ ଯଦି ନ ଶୁଣୁଛନ୍ତି କି ଆମକୁ ଆମ ବୃତ୍ତିକୁ ବଜାୟ ରଖିବାରେ ସାହାଯ୍ୟ ନକରନ୍ତି ତେବେ ଆମକୁ ବାହାର କୁ ଯିବାପାଇଁ ବ୍ୟାବସ୍ଥା କରନ୍ତୁ ବୋଲି କହିଛନ୍ତି ବୁଣାକାର । ଜିଲ୍ଲା ପ୍ରଶାସନ ଏହି ଦିଗ ପ୍ରତି ଦୃଷ୍ଟି ଦେବା ସହ ଆମ ଦୁଃଖ କୁଶୁଣନ୍ତୁ ବୋଲି କୋହ ଭରା କଣ୍ଟରେ ନିବେଦନ କରିଛନ୍ତି ବୁଣାକାର ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ