ଯାଜପୁର: ଜିଲ୍ଲାରେ ବେଆଇନ ଜବରଦଖଲକାରୀଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ ।
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦତ୍ତପୁରରେ କିଛି ଜବରଦଖଲକାରୀ ସରକାରୀ ଜମିକୁ କବଜା କରିନେଇଛନ୍ତି । ଏନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ବରଂ ଜବରଦଖଲକାରୀମାନେ ବେଧଡକ୍ ସରକାରୀ ଜମିକୁ ନିଜ କବଜାରେ କରୁଛନ୍ତି । ଏମିତିକି ଜମିରେ ବେଆଇନ କୋଠା ମଧ୍ୟ ନିର୍ମାଣ କରୁଛନ୍ତି ।
ଏହାର ପ୍ରତିବାଦରେ ଗ୍ରାମବାସୀ ଆଜି(ଗୁରୁବାର) ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଜବରଦଖଲକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଯଦି ଜିଲ୍ଲାପାଳ ତୁରନ୍ତ ଏନେଇ କୌଣସି ପଦକ୍ଷେପ ନ ନିଅନ୍ତି, ତାହେଲେ ଗ୍ରାମବାସୀ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ