ଯାଜପୁର: ଇଣ୍ଡସ ଟାୱାର କମ୍ପାନୀରେ କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ । ରାଜ୍ୟ ଏଓବିଆଇସିଟିୟୁ (AOBICTU)ପକ୍ଷରୁ ବ୍ୟାସନଗର ଚୋରଦାସ୍ଥିତ ଇଣ୍ଡସ୍ ଟାୱାର କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିନା ନୋଟିସରେ ଜଣେ କର୍ମଚାରୀଙ୍କୁ ଛଟେଇ କରାଯିବା ପରେ ଏହାକୁ ପ୍ରତିବାଦ କରିଛି ଏଓବିଆଇସିଟିୟୁ ।
ଏହା ମଧ୍ୟ ପଢନ୍ତୁ-ସମ୍ପନ୍ନ ହେଲା ମା ସୁନାଦେଇଙ୍କ ଛତର ଯାତ୍ରା, ଏଠାରେ ପଡିଥାଏ ବୋଦା ବଳି
ମିଳିଥିବା ସୂଚନା ଅନୁଯାୟୀ ଇଣ୍ଡସ୍ ଟାୱାର କମ୍ପାନୀରେ ଆଜକୁ 13 ବର୍ଷ ହେବ ସନ୍ଦୀପ ବେଉରିଆ ନାମକ ଜଣେ ବ୍ୟକ୍ତି ଚାକିରି କରିଥିଲେ । ମାତ୍ର ହଠାତ କମ୍ପାନୀ କର୍ତ୍ତୃପକ୍ଷ କୌଣସି ନୋଟିସ ନକରି ସନ୍ଦୀପଙ୍କୁ ଚାକିରୀରୁ ଛଟେଇ କରିଥିଲେ । ତେବେ ସନ୍ଦୀପଙ୍କୁ ପୁନର୍ବାର ନିଯୁକ୍ତି ପ୍ରଦାନ ଓ ଟାୱାର କର୍ମଚାରୀଙ୍କ ଦରମା ବୃଦ୍ଧି ପ୍ରତିବାଦରେ ଏଓବିଆଇସିଟିୟୁ ପକ୍ଷରୁ ଆଜି(ସୋମବାର) ପ୍ରତିବାଦ କରାଯାଇଥିଲା। ଏଓବିଆଇସିଟିୟୁ ରାଜ୍ୟ ସଭାପତି ଡ଼ ପୂର୍ଣ୍ଣଚନ୍ଦ୍ର ବେହେରା ଓ ଏଆଇଟିୟୁସିର ରାଜ୍ୟ କମିଟି ସଭ୍ୟ ସୁରେଶ ପ୍ରଧାନଙ୍କ ନେତୃତରେ ଶତାଧିକ ଟାୱାର କର୍ମଚାରୀ ଚୋରଦା ବାଇପାସ ଛକ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଇଣ୍ଡସ୍ ଟାୱାର କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ କରିଥିଲେ । ସେପଟେ କମ୍ପାନୀ କର୍ତ୍ତୃପକ୍ଷ ଉପରିସ୍ଥ ଅଧିକାରୀଙ୍କ ସହିତ ଦାବି ସମ୍ପର୍କରେ ଆଲୋଚନା କରିବେ ବୋଲି କହିବାରୁ ପ୍ରତିବାଦ ହଟିଥିଲା ।
ଏନେଇ କମ୍ପାନୀରୁ ଛଟେଇ ହୋଇଥିବା କର୍ମଚାରୀ ସନ୍ଦୀପ ବେଉରିଆ କହିଛନ୍ତି,"ବିନା କାରଣରେ ବେଆଇନ ଭାବରେ ମୋତେ କମ୍ପାନୀରୁ ବାହର କରି ଦେଇଛନ୍ତି, ଏଠାରେ ଅପରେଟର ଭାବେ ଦୀର୍ଘ ୧୩ ବର୍ଷ ହେବ କମ୍ପାନୀରେ ମୁଁ କାମ କରୁଥିଲି । କିନ୍ତୁ ମୋତେ ବିନା ନୋଟିସରେ କମ୍ପାନୀ ବାହାର କରିଦେଇଛି । ଏହାର କରାଣ ମୁଁ ଜାଣିବାକୁ ଚାହୁଁଛି । ତେଣୁ ଏଓବିଆଇସିଟିୟୁ ତରଫରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।"
ଏନେଇ ରାଜ୍ୟ ଏଓବିଆଇସିଟିୟୁ ୟୁନିୟନ ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା କହିଛନ୍ତି,"ଇଣ୍ଡସ ଟାୱାର କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଆମେ ଆନ୍ଦୋଳନ କରୁଛୁ, ଆମକୁ ବାଧ୍ୟ କରାଯାଇଛି ଆନ୍ଦୋଳନ କରିବା ପାଇଁ। ଏଠାରେ ସନ୍ଦୀପ ବେଉରିଆ ନାମକ ଜଣେ ବ୍ୟକ୍ତି କାମକରୁଥିବା ବେଳେ ତାଙ୍କୁ ବିନା ନୋଟିସରେ ଛଟେଇ କରାଯାଇଛି, ଏହାକୁ ବିରୋଧ କରି ଆମେ ଆନ୍ଦୋଳନକୁ ଓହ୍ଲାଇଛୁ ।"