ଜଗତସିଂହପୁର : ପାରାଦ୍ୱୀପ ସହରରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ସହରର ପ୍ରବେଶ ପଥ ଦୋଛକି ଠାରୁ ଅଠରବାଙ୍କୀ ପର୍ଯ୍ୟନ୍ତ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହାକୁ କିପରି ଦୁର୍ଘଟଣାମୁକ୍ତ କରାଯିବ ତାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜିଲ୍ଲାପାଳ ପାରୁଲ ପଟୱାରୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଖିଳେଶ୍ୱର ସିଂ, ପାରାଦ୍ୱୀପ ବନ୍ଦରର ଡେପୁଟି ଟ୍ରାଫିକ ପରିଚାଳକ ଶ୍ରୀମନ ମିଶ୍ରଙ୍କ ସହ ଅନେକ ଶିଳ୍ପ ସଂସ୍ଥାର କର୍ମକର୍ତ୍ତା ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ପାରାଦ୍ୱୀପ ପୋର୍ଟ ପକ୍ଷରୁ କୁହାଯାଇଛି ଯେ ବନ୍ଦରକୁ ପଣ୍ୟ ପରିବହନ ପାଇଁ ବହୁ ଭାରିଯାନ ଚଳାଚଳ କରୁଛି, ଯାହାକୁ ନେଇ ବନ୍ଦର କର୍ତ୍ତୃପକ୍ଷ ଏ ସମ୍ପର୍କରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଅଠରବାଙ୍କୀ ଠାରୁ ଦୋ ଛକି ପର୍ଯ୍ୟନ୍ତ ଅନ୍ୟ ଏକ ଚାରି ଥକିଆ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହା କାର୍ଯ୍ୟକାରୀ ହେଲେ ଦୁର୍ଘଟଣା ହ୍ରାସ ପାଇବ ବୋଲି କୁହାଯାଇଛି । ସେହିଭଳି ଦ୍ରୁତ ଗତି, ବେପରୁଆ ଗାଡ଼ି ଚାଳନା, ରାସ୍ତାରେ ଗାଡି ରଖିବା ଉପରେ କଟକଣା ଜାରି କରାଯାଇଛି । ଦୁର୍ଘଟଣାକୁ ରୋକିବା ପାଇଁ କଡ଼ାପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାଫିକ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ କରିବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ