ଗଜପତି: ପାରଳାଖେମୁଣ୍ଡିଠାରେ ପାଳିତ ହୋଇଯାଇଛି ରଥଯାତ୍ରା । ଆଜି ସକାଳୁ ରଥ ପ୍ରତିଷ୍ଠା କରାଯିବା ସହ ଠାକୁରଙ୍କ ରୀତିନୀତି ସରିବା ପରେ ପୂର୍ବାହ୍ନ ପ୍ରାୟ ସାଢେ 11ଟା ସମୟରେ ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମ ସୁଦର୍ଶନଙ୍କୁ ରଥାରୁଢ କରାଯିବା ପରେ ବଳଭଦ୍ର, ମାଁ ସୁଭଦ୍ରା ଏବଂ ଜଗନ୍ନାଥଙ୍କୁ ପହଣ୍ଡିରେ ଆଣି ରଥାରୁଢ କରାଯାଇଥିଲା ।
ଦିନ ପ୍ରାୟ 2ଟା ବେଳେ ରାଜଜେମା କଲ୍ୟାଣୀ ପହଞ୍ଚି 3 ରଥରେ ଛେରା ପହଁରା ଏବଂ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଅପରାହ୍ନ ପ୍ରାୟ 4ଟାବେଳେ ରଥଟଣା ଆରମ୍ଭ ହୋଇଥିଲା । ସଂନ୍ଧ୍ୟା ପୂର୍ବରୁ 3 ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଯାଇଥିଲା । ଏହି ଯାତ୍ରାରେ ସାମିଲ ହୋଇ ରଥ ଟାଣିବା ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ପଡୋଶୀ ରାୟଗଡା ଏବଂ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ 50ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
ତେବେ ଭିଡକୁ ଆଖିରେ ରଖି ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ କଡାକଡି କରାଯାଇଥିଲା । 30ଜଣ ପୋଲିସ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇଥିବାବେଳେ 5 ପ୍ଳାଟୁନ ଫୋର୍ସ ଏବଂ 70ଜଣ ହୋମଗାର୍ଡ ନିୟୋଜିତ ହୋଇଥିଲେ ରଥଯାତ୍ରାରେ । ଆଉ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ନିଜେ ଏସପି ସାରା ଶର୍ମା ଉପସ୍ଥିତ ରହି ପରିଚାଳନା କରିଥିଲେ । ଆଜି ପାଗ ମେଘାଚ୍ଛନ ରହିଥିବାରୁ ଦର୍ଶକମାନେ ମଧ୍ୟ ବେଶ ଉପଭୋଗ କରିଥିବାର ପରିଲକ୍ଷିତ ହୋଇଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ