ଗଜପତି: ଫାଲଗୁନ ମାସ ଆସିଲେ ପାରଳାଖେମୁଣ୍ଡି ଅଞ୍ଚଳ ହୋଇଉଠେ ଚଳଚଞ୍ଚଳ । ଦେହରେ ହଳଦୀ, ହାତରେ ନିମଡାଳ ସହ ଖାଲି ଗୋଡ଼ରେ ଘୁଙ୍ଗୁର ବାନ୍ଧି ଖରାରେ ସାହି ସାହି ନାଚି ବୁଲିଥାନ୍ତି ପୂଜକ । ଏଭଳି କଲେ ମିଳିମିଳା ଓ କଲେରା ରୋଗରୁ ମୁକ୍ତି ମିଳିଥାଏ ବୋଲି ସାଧାରଣରେ ବିଶ୍ବାସ ରହିଛି । ତେଣୁ ମା’ଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ରାସ୍ତା ଆପଣେଇଥାନ୍ତି । ସେଥି ମଧ୍ୟରୁ ଝାମି ଯାତ୍ରା ଅନ୍ୟତମ । ଏହି ଯାତ୍ରା ପଣା ସଂକ୍ରାନ୍ତି ଦିନ ପାଳନ କରାଯାଏ । ଏହି ଦିନକୁ ସମସ୍ତେ ଓଡ଼ିଆ ନବ ବର୍ଷ ଭାବରେ ମଧ୍ୟ ପାଳନ କରିଥାନ୍ତି ।
କିଛି ଲୋକ ଦେହରେ ହଳଦୀ ବୋଳି ଛାଟରେ ବାଡେଇ ହୋଇ ବାଜା ବଜାଇ ବୁଲୁଥିବାର ଦେଖିବାକୁ ମିଳିଥାଏ । ଏମାନଙ୍କୁ ଝାମି ପ୍ରତିନିଧି ଭାବେ ଗଣାଯାଏ । ଏମାନେ ଘର ଘର ବୁଲି ଦିନ ତମାମ ଯାହା ଭିକ୍ଷା କରିଥାନ୍ତି ସନ୍ଧ୍ୟାରେ ଘରକୁ ଫେରି ସେସବୁକୁ ଗ୍ରାମ୍ୟ ଦେବୀଙ୍କ ନିକଟରେ ଭୋଗ ଲଗାଇଥାନ୍ତି । କିଛି ନିଜର ବଂଶଗତ ପରମ୍ପରା ଅନୁସାରେ ଏହା କରୁଥିବା ବେଳେ ଆଉ କିଛି ମାନସିକଧାରୀ ଏଭଳି କରିଥାନ୍ତି । ଏହା ବିଶେଷ କରି ମିଳିମିଳା ଏବଂ କଲେରା ରୋଗରୁ ମୁକ୍ତି ପାଇଁ କରାଯାଉଥିବା ସାଧାରଣରେ ବିଶ୍ବାସ ରହିଛି ।
ଏହାକୁ କେବଳ ବୃଦ୍ଧ ବୃଦ୍ଧା ମାନନ୍ତି ତାହା ନୁହେଁ, ଆଜିକାର ଯୁବପିଢି ମଧ୍ୟ ଏହି ପର୍ବକୁ ଅନୁସରଣ କରିଥାନ୍ତି । ତେଣୁ ଏହି ଋତୁ ଆସିଲେ ପାରଳାଖେମୁଣ୍ଡି ଅଞ୍ଚଳ ହୋଇଉଠେ ଉତ୍ସବମୁଖର । ବିଜ୍ଞାନ ଯଥେଷ୍ଟ ଆଗେଇଥିଲେ ବି ଆଜି ମଧ୍ୟ ଲୋକଙ୍କ ମନରେ ଏହି ବିଶ୍ବାସ ରହିଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ