ଗଜପତି: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ଘଟଣାର ୧୨ ଦିନ ପରେ ଡିଏଫଓ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ କରାଗଲା ମାରାଥନ ଜେରା । କ୍ରାଇମବ୍ରାଞ୍ଚ ଓ ପୋଲିସ ଦୀର୍ଘ ତିନି ଘଣ୍ଟା କାଳ ସଂଗ୍ରାମ କେଶରୀଙ୍କୁ ଜେରା କରିଛନ୍ତି । ଜେରା ସମୟରେ ଏସିଏଫଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ନିଜ ସମ୍ପର୍କକୁ ଅସ୍ବୀକାର କରିଛନ୍ତି ଡିଏଫଓ । ସୌମ୍ୟରଞ୍ଜନଙ୍କ ସହ କେବଳ ବୃତ୍ତିଗତ ସମ୍ପର୍କ ଥିଲା । ଘଟଣା ଦିନ ହିଁ ସେ ବିଦ୍ୟାଭାରତୀଙ୍କୁ ପ୍ରଥମ ଥର ଦେଖିଥିବା କହିଛନ୍ତି ଡିଏଫଓ । ସେପଟେ ମାମଲାର ଆଉ ଏକ ଚରିତ୍ର ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ମଧ୍ୟ କରାଯାଇଛି ପଚରାଉଚରା ।
ଆଜି ସକାଳ ପ୍ରାୟ ସାଢେ ୧୦ଟାରେ ଡିଏଫଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ପୋଲିସ ଅଧିକାରୀ । ଡିଏଫଓଙ୍କ ବାସଭବନରୁ କାର୍ଯ୍ୟାଳୟର ଦୂରତା ପ୍ରାୟ 20ମିଟର ହୋଇଥିଲେ ମଧ୍ୟ କଡା ସୁରକ୍ଷା ବଳୟ ଭିତରେ ପ୍ରାୟ 11ଟା ସମୟରେ ଡିଏଫଓଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଏହାର କିଛି ମୂହୁର୍ତ୍ତ ପରେ ସେଠାରେ ପହଞ୍ଚିଥିଲେ ତଦନ୍ତ ଅଧିକାରୀ ବିବେକାନନ୍ଦ ସ୍ବାଇଁ ଏବଂ ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି । ସେମାନେ ସିଧାସଳଖ ଡିଏଫଓଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠକୁ ଯାଇ ଜେରା ଆରମ୍ଭ କରିଥିଲେ । ଦୀର୍ଘ ତିନି ଘଣ୍ଟା କାଳ ମାରାଥନ ଜେରା ପରେ ଅପରାହ୍ନ ୨ଟା ୩୦ ସମୟରେ ସେଠାରୁ ବାହାରିଥିଲେ ତଦନ୍ତକାରୀ ଟିମ୍ । ପୁନର୍ବାର ଡିଏଫଓଙ୍କୁ ମଧ୍ୟ କଡା ସୁରକ୍ଷା ମଧ୍ୟରେ ତାଙ୍କ ବାସଭବନରେ ଛାଡିଥିଲା ପୋଲିସ । ଏହି ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ମାତ୍ର ଡିଏଫଓ ସଂଗ୍ରାମ କେଶରୀ କୌଣସି ଉତ୍ତର ନଦେଇ ଚାଲି ଯାଇଥିଲେ । ତେବେ ଜେରା କରି ଫେରିଥିବା ତଦନ୍ତ ଅଧିକାରୀଙ୍କ କହିବା କଥା ଡିଏଫଓ ସଂଗ୍ରାମକୁ ବିଭିନ୍ନ ଦିଗରେ ପ୍ରଶ୍ନ କରାଯାଇଥିଲା । ଯାହାର ସମସ୍ତ ଉତ୍ତର ମଧ୍ୟ ସେ ଦେଇଛନ୍ତି ।
ସେପଟେ ବିଦ୍ୟାଭାରତୀ ଓ ଡିଏଫଙ୍କ ଅନୈତିକ ସମ୍ପର୍କ ଥିବା ନେଇ ସୌମ୍ୟଙ୍କ ପରିବାର ଲୋକେ ଦାବି କରୁଥିବାବେଳେ ଡିଏଫଓ ବିଦ୍ୟାଭାରତୀଙ୍କ ସହ ନିଜ ସମ୍ପର୍କ ନେଇ ଦେଇଥିବା ବୟାନ କେତେ ସତ୍ୟାସତ୍ୟ ତା ଉପରେ ପ୍ରଶ୍ନ ଉଠିଛି । ପୂର୍ବରୁ ସୌମ୍ୟଙ୍କ ଆମ୍ବୁଲାନ୍ସ ଅଟକିବା ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭରକୁ ମଧ୍ୟ ପଚରାଉଚରା କରାଯାଇଥିଲା । ଡ୍ରାଇଭର ଆମ୍ବୁଲାନ୍ସ ଅଟକିଥିବା କଥାକୁ ସ୍ବୀକାର କରିଛନ୍ତି । ଫରେଷ୍ଟଗେଟ ଛକରେ ୧୫ ମିନିଟ ପାଇଁ ଆମ୍ବୁଲାନ୍ସ ଅଟକିଥିଲା । ଜଣେ ମହିଳା ପୋଲିସ ଅଧିକାରୀ ଅଟକିବା ପାଇଁ କହିଥିଲେ ବୋଲି ଡ୍ରାଇଭର କହିଛନ୍ତି । କେବଳ ଏଠାରେ ନୁହେଁ, ଗୋଷାଣିରେ ମଧ୍ୟ କିଛି ସମୟ ପାଇଁ ଆମ୍ବୁଲାନ୍ସ ଅଟକିଥିଲା ଏବଂ ସେଠାରେ ଜଣେ କିଏ ଆମ୍ବୁଲାନ୍ସରେ ଚଢିଥିଲେ । ସେହିପରି ଗୋପାଳପୁର ଛକରେ ମଧ୍ୟ କିଛ ସମୟ ପାଇଁ ଗାଡି ଅଟକିଥିଲା ବୋଲି ଡ୍ରାଇଭର ଜଣକ ସୂଚନା ଦେଇଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ