ଢେଙ୍କାନାଳ: ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ଖୁଣ୍ଟପଶିରୁ ନଗଡା ରାସ୍ତାରେ ଗୁରୁବାର ବିଳମ୍ବିତ ରାତ୍ରିରେ ଗୁଳିମାଡ଼ ହୋଇଛି । ଏହି ଗୁଳିମାଡରେ ଗୁରୁତର ଅବସ୍ଥାରେ ଜଣେ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ମୃତକ ଜଣକ ଭୁବନ ଥାନା ଅନ୍ତର୍ଗତ କୁନିଦା ଗ୍ରାମର ଗୋବିନ୍ଦ ବେହେରା ବୋଲି ଜଣାପଡିଛି । ଗୋବିନ୍ଦଙ୍କ ସାଥିରେ ତାଙ୍କ ଗ୍ରାମର ଚହଲି ଦାସ ଓ ଚଗଲି ସେଠି ନାମକ ଅନ୍ୟ ଦୁଇଜଣ ବ୍ୟକ୍ତି ଥିଲେ । ତେବେ ଏହି ଗୁଳିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ମାତ୍ର ମଇଁଷି କିଣିବାକୁ ଯାଇ ଏପରି ଘଟଣା ଘଟିଥିବା ମୃତ ଗୋବିନ୍ଦଙ୍କ ପରିବାର ପକ୍ଷରୁ କୁହାଯାଇଛି ।
ତେବେ ଗୋବିନ୍ଦଙ୍କ ସହ ଯାଇଥିବା ଅନ୍ୟ ଦୁଇ ସାଥୀଙ୍କ କହିବା ଅନୁଯାୟୀ, ଗୁରୁବାର ଗୋବିନ୍ଦ ଓ ସାଥୀମାନେ ମଇଁଷି କିଣିବା ପାଇଁ ଖୁଣ୍ଟାପଶି ନିକଟରୁ ଚାଲି ଚାଲି ନଗଡା ରାସ୍ତାରେ ଯାଉଥିଲେ । ରାତି ପ୍ରାୟ 10ଟା ସମୟରେ ଅଚାନକ ଚାରିଜଣ ସନ୍ଦିଗ୍ଧ ଆସି ତାଙ୍କ ଠାରୁ ୩୦ହଜାର ଟଙ୍କା ଛଡାଇ ନେଇଥିଲେ । ପରେ ତାଙ୍କୁ ଗୁଳିମାଡ଼ କରି ପଳାଇ ଯାଇଛନ୍ତି ।
ପରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭୁବନ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ