ଢେଙ୍କାନାଳ: ଜିଲ୍ଲାରେ ହାତୀ ଉପଦ୍ରବ ଥମୁନାହିଁ । ଏପରିକି ଜଣକ ପରେ ଜଣେ ଚାଷୀଙ୍କୁ ହାତୀ ଆକ୍ରମଣ କରି ମାରିଚାଲିଛି । ଆଜି ଭୋର ସମୟରେ ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଗ୍ରାମରେ ଜଣେ ଚାଷୀଙ୍କୁ ହାତୀ ଆକ୍ରମଣ କରିବାରୁ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ଗୋବିନ୍ଦପୁର ଗ୍ରାମର ପ୍ରଶାନ୍ତ ରାଉତ ।
ପ୍ରଶାନ୍ତ ଗୋବିନ୍ଦୁର ସ୍କୁଲ ପଛ ପାଖ ବିଲରେ ଗଦାଇଥିବା ତାଙ୍କ ଧାନ ଜଗିଥିଲେ । ଏହି ଅଞ୍ଚଳରେ ଉପଦ୍ରବ ଜାରି ରଖିଥିବା ଏକ ଦନ୍ତା ହାତୀ ତାଙ୍କୁ ଟାଣିନେଇ କଚାଡି ଦେଇଥିଲା । ଫଳରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି ।
ଏପଟେ ଏହି ଅଞ୍ଚଳରେ ଏକ ଦନ୍ତା ହାତୀ ଉପଦ୍ରବ ଜାରି ରଖିଥିଲେ ମଧ୍ୟ ବନବିଭାଗ ପକ୍ଷରୁ ଦନ୍ତାକୁ ଜବତ କରିବା ଓ ଗୁରୁତର ଚାଷୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦାବି କରିଛନ୍ତି । ଏପରିକି ଚାଷୀଙ୍କ ଗ୍ରାମବାସିଙ୍କ ପକ୍ଷରୁ ଗୋବିନ୍ଦପୁର ଛକରେ ଏନ ଏଚ-୫୫କୁ ଅବରୋଧ କରିଛନ୍ତି ।
ଫଳରେ ୫୫ନମ୍ବର ଜାତୀୟ ରାଜପଥରେ ସାଧାରଣ ଯାତାୟାତ ସମ୍ପର୍ଣ୍ଣ ଠପ ହୋଇଯାଇଥିବା ବେଳେ କଟକ ଓ ଅନୁଗୋଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ସ୍ଥାନୀୟ ଗୋବିନ୍ଦପୁର ଫାଣ୍ଡି ପୁଲିସ ପହଁଞ୍ଚି ଲୋକଙ୍କୁ ବୁଝା ସୁଝା ଜାରି ରଖିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ