ଦେବଗଡ: ଠିକା କାମକୁ କେନ୍ଦ୍ରକରି ରିଆମାଳ ବିଡ଼ିଓ ଦିବ୍ୟଶଙ୍କର ଜୟପୁରିଆଙ୍କୁ ବ୍ଲକ ଅଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ଏବଂ ତାଙ୍କ ନାମରେ ମିଥ୍ୟା ଏତଲା ଦେବା ପ୍ରତିବାଦରେ ବ୍ଲକ କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିଛନ୍ତି । ଏହାର ଆଶୁ ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରତ କର୍ମଚାରୀମାନେ ଏହି ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗତ 23 ତାରିଖ ଦିନ ପୂର୍ବାହ୍ନରେ ରିଆମାଳ କଲ୍ୟାଣ ମଣ୍ଡପ ଠାରେ ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଅତିଥି ଭାବେ ରିଆମାଳ ବିଡ଼ିଓ ଦିବ୍ୟଶଙ୍କର ଜୟପୁରିଆ ଓ ବ୍ଲକ ଅଧ୍ୟକ୍ଷା ରିତାଞ୍ଜଳି ହାତୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ କୌଣସି ଏକ ଠିକାକାମକୁ ନେଇ ବିଡ଼ିଓ ଜୟପୁରିଆଙ୍କୁ ବ୍ଲକ ଅଧ୍ୟକ୍ଷା ରିତାଞ୍ଜଳି ହାତୀ ଗାଳିଗୁଲଜ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ବ୍ଲକ ଅଧ୍ୟକ୍ଷା ବିଡ଼ିଓ ଜୟପୁରିଆ ତାଙ୍କୁ ହତ୍ୟା ଧମକ ଦେଇଥିବା ନେଇ ରିଆମାଳ ଥାନାରେ ଏତଲା ଦେଇଥିଲେ ।
ତେବେ ବ୍ଲକ ଅଧ୍ୟକ୍ଷାଙ୍କ ଏଭଳି ଆଚରଣକୁ ବ୍ଲକ କର୍ମଚାରୀମାନେ ତୀବ୍ର ନିନ୍ଦା କରିବା ସହ ବିଡ଼ିଓଙ୍କ ବିରୁଦ୍ଧରେ ଦିଆଯାଇଥିବା ଏତଲା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି । ଏଥିସହ ବ୍ଲକ କର୍ମଚାରୀମାନେ ଏହାର ଦୃଢ଼ ପ୍ରତିବାଦ କରି ତଦନ୍ତ ଦାବିରେ ଗତକାଲି(ବୁଧବାର) ଠାରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଲମଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏଥିରେ ବ୍ଲକ କର୍ମଚାରୀଙ୍କ ସହିତ ବିଭିନ୍ନ ପଞ୍ଚାୟତ ଅଧିକାରୀମାନେ ସାମିଲ ହୋଇଛନ୍ତି । ଯେଉଁଠି ଖୋଦ ବିଡ଼ିଓ ଅସୁରକ୍ଷିତ, ସେଠାରେ ଅଧିନସ୍ଥ କର୍ମଚାରୀମାନେ କିଭଳି ସୁରକ୍ଷିତ ରହି କାର୍ଯ୍ୟ ତୁଲାଇ ପାରିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଫଳରେ ରିଆମାଳ ବ୍ଲକ କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖାଦେବା ସହିତ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।
ଏହି ଅଭିଯୋଗ ସମ୍ପର୍କରେ ବିଡ଼ିଓ ଦିବ୍ୟଶଙ୍କର ଜୟପୁରିଆଙ୍କୁ ପଚରା ଯିବାରୁ 'ବ୍ଲକ ଅଧ୍ୟକ୍ଷା ମୋତେ ବେଆଇନ କାର୍ଯ୍ୟ କରିବାକୁ ବାରମ୍ବାର ଚାପ ପକାଉଥିଲେ ଓ ସେଥିରେ ସେ ଅସଫଳ ହେବାରୁ ମୋ ବିରୁଦ୍ଧରେ ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି ।' ଅନ୍ୟପଟେ ବ୍ଲକ ଅଧ୍ୟକ୍ଷା କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ଏସଂକ୍ରାନ୍ତରେ ତାଙ୍କର କୌଣସି ମତାମତ ମିଳିପାରିନାହିଁ । ତେବେ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷାଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦର ଆପୋଷ ସମାଧାନ ଦିଗରେ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ