କଟକ: ଦିନ ଥିଲା ଖିଲିଖିଲି ହସରେ ଫାଟି ଫଡୁଥିଲା ଘର। ଚୁଲୁବୁଲି ମନ ସାଙ୍ଗକୁ ହସକୁରା ଚେହେରାରେ ବାପା ମା'ଙ୍କ ସାଜିଥିଲା ଆଖିର ତାରା । ହେଲେ ହଠାତ କାହାର ନଜର ଲାଗିଲା ଯେ, ପରିବାରରେ ଛାଇଗଲା ଦୁଃଖର କଳା ବାଦଲ । ଗୋଟିଏ ବୋଲି ଝିଅକୁ ନେଇ ଆଖିରେ ଆଖିଏ ସ୍ବପ୍ନ ବୁଣିଥିଲେ। କିନ୍ତୁ ସେହି ଆଖିରୁ ଆଜି ଶୁଖୁନି ଲୁହର ଧାର। ଦୀର୍ଘ ତିନି ବର୍ଷ ଥରି ଶଯ୍ୟାଶାୟୀ ପାଲଟିଛି ମୋନାଲିସା । ନା ଶୁଣିବାକୁ ମିଳୁଛି ତା ମିଠା ମିଠା କଥା ନା କରୁଛି ଅଳି ଅଝଟ। 10ମ ଶ୍ରେଣୀ ପଢିବା ବେଳେ ସାବୁକ୍ୟୁଟ ସ୍କେଲେରୋଜିଙ୍ଗ ପାନେନ୍ସଫାଲାଇଟିସ ରୋଗରେ ପୀଡିତ ହେବା ପରେ ନିରବୀ ଯାଇଛି ମୋନାଲିସା ।
ସେପଟେ, ଝିଅକୁ ସୁସ୍ଥ କରିବାକୁ ଦୀର୍ଘ 3 ବର୍ଷ ଧରି ଚିକିତ୍ସା କରି ଚାଲିଛନ୍ତି ପରିବାର ଲୋକେ । ଏଥିପାଇଁ ପାଣି ପରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି । ହେଲେ ଝିଅର ସ୍ବାସ୍ଥ୍ୟରେ କୌଣସି ସୁଧାର ନାହିଁ। ମୋନାଲିସାଙ୍କ କରୁଣ ଚାହାଣୀକୁ ଦେଖିଲେ ହୃଦୟ କାନ୍ଦି ଉଠୁଛି ପୁରା ପରିବାର । ଯଦି ଏହି ସମୟରେ ରାଜ୍ୟ ସରକାର ଝିଅକୁ ଟିକେ କରୁଣା ଦୃଷ୍ଟି ଦିଅନ୍ତେ ତେବେ ସେ ଏକ ନୂଆ ଜୀବନ ପାଆନ୍ତା ବୋଲି କହିଛନ୍ତି ମୋନାଲିସଙ୍କ ବାପା।
ବାପା ତ୍ରିଲୋଚନ ଓ ମା ସଞ୍ଜୁକ୍ତାଙ୍କ ସେହି ଗୋଟିଏ ଅନ୍ଧର ଲଉଡି । ଯାହାକୁ ଦେଖି ସାରା ଜୀବନ ବିତେଇବା ପାଇଁ ସ୍ବପ୍ନ ଦେଖିଥିଲେ ଉଭୟେ । ହେଲେ ଏବେ ଗୋଟିଏ ଆଶା ଝିଅର ସୁସ୍ଥତା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ