ଭୁବନେଶ୍ବର: ସରକାରୀ ଡାକ୍ତରଖାନାରେ ରୋଗୀ ସେବାର ବିକଳ ଚିତ୍ର । ତେବେ ଏହା କୌଣଣି ଉପାନ୍ତ ଅଞ୍ଚଳର କଥା ନୁହଁ । ରାଜଧାନୀ ନିକଟରେ ଥିବା କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଡାକ୍ତରଖାନା ପରିସରରେ ଜଣେ ରୋଗୀଙ୍କୁ ଅଟୋ ଭିତରେ ମୋବାଇଲ୍ ଲାଇଟ୍ରେ ଇଞ୍ଜେକ୍ସନ ଓ ସାଲାଇନ୍ ଦେବା ଘଟଣାକୁ ଗୁରୁତର ସହ ନେଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏନେଇ କଟକ ସିଡିଏମଓକୁ ରିପୋର୍ଟ ତଲବ କରାଯାଇଛି । ତେବେ ଆସନ୍ତା 5 ତାରିଖ ସୁଧା ରିପୋର୍ଟ ଦାଖଲ କରିବା ପାଇଁ ସିଡିଏମଓଙ୍କୁ କୁହାଯାଇଛି ।
ସୂଚନା ଅନୁଯାୟୀ, ନିଆଳି ନିକଟସ୍ଥ ପୁବଖଣ୍ତ ବସ୍ତିର ସେଖ୍ ସାଜିଦ୍ ତାଙ୍କ ବାପାଙ୍କୁ ଚିକିତ୍ସା ପାଇଁ ନିଆଳି ସିଏଚ୍ସିକୁ ଆଣିଥିଲେ । କିନ୍ତୁ ଶଯ୍ୟା ଅଭାବରୁ ଅଟୋ ଭିତରେ ମୋବାଇଲ୍ ଆଲୁଅରେ ସାଲାଇନ୍ ଓ ଇଞ୍ଜେକ୍ସନ୍ ଦିଆଯାଇଥିଲା । ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ୩ ଶହରୁ ଅଧିକ ରୋଗୀ ସ୍ବାସ୍ଥ୍ୟସେବା ପାଇଁ ଆସିଥାନ୍ତି । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ବହୁ ପ୍ରତୀକ୍ଷିତ ଆଧୁନିକ ପ୍ରସୂତି କେନ୍ଦ୍ର ନିର୍ମାଣ ପାଇଁ ମୁଖ୍ୟ କୋଠାକୁ ଭାଙ୍ଗି ଦିଆଯାଇଛି । ଅନ୍ୟପଟେ ମାସ ପରେ ମାସ ବିତି ଯାଇଥିଲେ ମଧ୍ୟ ରୋଗୀଙ୍କ ଚିକିତ୍ସା ଲାଗି ବିକଳ୍ପ ବ୍ୟବସ୍ଥା କରାଯାଇ ନଥିବାରୁ ରୋଗୀ ସେବା ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର