ଭୁବନେଶ୍ବର: ମତ୍ସ୍ୟ ସମ୍ପଦର ବିକାଶ କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ଅବଦାନ ଯୋଗୁଁ ଓଡ଼ିଶା 2019 ବର୍ଷ ପାଇଁ ସର୍ବୋତ୍ତମ ରାଜ୍ୟ ଭାବରେ ପୁରସ୍କୃତ ହୋଇଛି । ଏଗ୍ରିକଲଚର ଟୁଡ଼େ ଗ୍ରୁପ୍ ପକ୍ଷରୁ ଏଗ୍ରିକଲଚର ଲିଡରସିପ୍ ଆଓାର୍ଡ ପ୍ରଦାନ କ୍ରମରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବାରୁ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
କେରଳର ରାଜ୍ୟପାଳ ପି. ସଦାଶିବମ୍ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଓଡ଼ିଶାକୁ ଏହି ପୁରସ୍କାର ପାଇଁ ମନୋନୀତ କରିଛନ୍ତି । ଏହି ପୁରସ୍କାର ରାଜ୍ୟର ମତ୍ସ୍ୟ ଉତ୍ପାଦନ ବୃଦ୍ଧିକୁ ପ୍ରୋତ୍ସାହିତ କରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ପ୍ରକାଶ କରିଥଲେ । ଏଥିସହ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟ ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ସୂଚନା ଦେଇଛନ୍ତି । ଏହି ସଫଳତା ପାଇଁ ମନ୍ତ୍ରୀ ଡ଼ଃ ସାହୁ ଓଡ଼ିଶାର ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି ।

ନୂଆଦିଲ୍ଲୀସ୍ଥିତ ତାଜ୍ ପ୍ୟାଲେସ୍ ହୋଟେଲ୍ରେ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପୁରସ୍କାର ପ୍ରଦାନ କରିଥିଲେ । ଓଡ଼ିଶା ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ସଞ୍ଜୀବ ମିଶ୍ର ପୁରସ୍କାର ଗ୍ରହଣ କରିଥିଲେ ।
ସୂଚନା ଅନୁଯାୟୀ ରାଜ୍ୟର ମତ୍ସ୍ୟ ଉତ୍ପାଦନକୁ ବୃଦ୍ଧି କରିବା ସହ ରାଜ୍ୟର ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କୁ ଜୀବିକା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର 2015 ମସିହାରେ ଦେଶର ସର୍ବପ୍ରଥମ ରାଜ୍ୟ ଭାବେ ଓଡ଼ିଶା ମତ୍ସ୍ୟନୀତି ପ୍ରଣୟନ କରିଛନ୍ତି । ରାଜ୍ୟରେ 480 କିମି ସମୂଦ୍ର ଉପକୂଳ ସମେତ 6 ଲକ୍ଷ 69 ହଜାର ହେକ୍ଟର ମଧୁର ଜଳ ଅଞ୍ଚଳ ଓ 4 ଲକ୍ଷ 18 ହଜାର ହେକ୍ଟର ଖାରି ପାଣି ଅଞ୍ଚଳ ରହିଛି ।

ତେଣୁ ମତ୍ସ୍ୟ ଉତ୍ପାଦନକୁ ବୃଦ୍ଧି କରିବା ସହିତ ରପ୍ତାନୀରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟାଇବା ପାଇଁ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନାର ରୂପାୟନକୁ ଗତିଶୀଳ କରାଯାଇଛି । ମତ୍ସ୍ୟ ସମ୍ପଦ ବିକାଶରେ ବୈଷୟିକ ଜ୍ଞାନ କୌଶଳ ବିନିଯୋଗ ଦ୍ବାରା ରାଜ୍ୟର ମତ୍ସ୍ୟଚାଷୀ ତଥା ମତ୍ସ୍ୟଜୀବୀଙ୍କର ଆର୍ଥିକ ପ୍ରଗତି, ମତ୍ସ୍ୟ ଚାଷରେ ଆତ୍ମନିଯୁକ୍ତି ସହିତ ବୈଦେଶିକ ମୁଦ୍ରା ଅର୍ଜନ 20 ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ପ୍ରକାଶ ଯେ, ମଧୁରଜଳ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଭାରତବର୍ଷରେ ପଞ୍ଚମ ସ୍ଥାନ ଅଧିକାର କରିଥିବା ବେଳେ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନରେ ଅଷ୍ଟମ ସ୍ଥାନ ଅଧିକାର କରିଛି । ରାଜ୍ୟର ମତ୍ସ୍ୟ ଉତ୍ପାଦନ ବିଗତ 3 ବର୍ଷ ମଧ୍ୟରେ ଶତକଡ଼ା 45.6 ପ୍ରତିଶତ ଅଭିବୃଦ୍ଧି ଘଟିବା ସ୍ଥଳେ ହେକ୍ଟର ପ୍ରତି ମାଛ ଉତ୍ପାଦନ ବୃଦ୍ଧି ପାଇଁ 4.10 ମେଟ୍ରିକ୍ ଟନ୍ ପହଞ୍ଚି ପାରିଛି ।
ତେବେ ରାଜ୍ୟ ସରକାରଙ୍କ ଜଳଭଣ୍ଡାରରେ ମାଛଚାଷ ନୀତି ପ୍ରଣୟନ ଯୋଗୁଁ ମାଛ ଉତ୍ପାଦନ ବିଗତ 10 ବର୍ଷ ମଧ୍ୟରେ 10 ଗୁଣରୁ ଅଧିକ ବୃଦ୍ଧି ପାଇ ହେକ୍ଟର ପ୍ରତି 15 କେଜିରୁ 181 କେଜିରେ ପହଞ୍ଚି ପାରିଛି । ରାଜ୍ୟରେ ସାମୂଦ୍ରିକ ମାଛ ଓ ଚିଙ୍ଗୁଡ଼ି ରପ୍ତାନି 2015-16 ମସିହାରେ 1963 କୋଟି ଟଙ୍କା ଥିବା ବେଳେ ଏହା 2017-18 ବର୍ଷରେ ବୃଦ୍ଧି ପାଇ 3100 କୋଟିରେ ପହଞ୍ଚିଛି ।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ