ବୌଦ୍ଧ: ସ୍ବାଧୀନତାର 70 ବର୍ଷ ପରେ ବି ବ୍ଲକ କାର୍ଯ୍ୟାଳୟର କିଛି ଦୂରରେ ଥିବା ଗାଁକୁ ଗମନାଗମନର ଅସୁବିଧା ଯୋଗୁଁ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ଏନେଇ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନି । ଗାଁକୁ ସଂଯୋଗ ନିମନ୍ତେ ଆବଶ୍ୟକ ଥିବା ଏକ ସେତୁ ନିମନ୍ତେ ଦୀର୍ଘ ବର୍ଷ ହେଲା ଦାବି ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
ଫଳରେ ଆମ୍ବୁଲାନ୍ସ ସେବା ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନା ଗାଁରେ ପହଞ୍ଚିବାରେ ଅହେତୁକ ବିଳମ୍ବ ଘଟୁଛି । ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ବ୍ଲକ କାର୍ଯ୍ୟାଳୟ ଠାରୁ କିଛି ଦୂରରେ ଅବସ୍ଥିତ ବାହାଲି ଗାଁର ଦୃଶ୍ୟ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାଣୀଭୂଷଣପୁର ପଞ୍ଚାୟତର ବାହାଲି ଗାଁକୁ ଶଗଡିଆ ନାମକ ଏକ ଛୋଟ ପାହାଡି ଝରଣା ବର୍ଷ ସାରା ବାହ୍ୟ ଜଗତରୁ ବିଚ୍ଛିନ୍ନ କରି ରଖିଥାଏ ।
ତେବେ ଏହି ଝରଣା ଉପରେ ସବୁଦିନିଆ ସେତୁ କିମ୍ବା ରାସ୍ତା ନଥିବାରୁ ଏହି ଗାଁକୁ ଗାଡିମୋଟର ଠାରୁ ଆରମ୍ଭ କରି ଅନ୍ୟ କୌଣସି ଯୋଜନା ଠିକରେ ପହଞ୍ଚି ପାରୁନାହିଁ ।ଝରଣା ପାଣିରେ ପଶି ପଞ୍ଚାୟତ କାର୍ଯ୍ୟାଳୟରୁ ପିଡିଏସ ଚାଉଳ ଆଣିବା ଓ ସ୍କୁଲ କଲେଜକୁ ଯାଉଥିବା କହିଛନ୍ତି ଗ୍ରାମବାସୀ ।
ଏହି ଶଗଡିଆ ଝରଣା ଉପରେ ଏକ ସେତୁ ନିର୍ମାଣ ନିମନ୍ତେ ଦୀର୍ଘ ବର୍ଷରୁ ଅଞ୍ଚଳବାସୀ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ବାହାଲି ଗାଁକୁ ସଂଯୋଗ ପାଇଁ ଶଗଡିଆ ଝରଣା ଉପରେ ସେତୁ ନିର୍ମାଣ ପାଇଁ ସାଧାରଣରେ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ