ବୌଦ୍ଧ: କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ଅଧିନରେ ଥିବା 1200 ବର୍ଷ ପ୍ରାଚୀନ ମନ୍ଦିରର ପାରିପାର୍ଶ୍ବିକ ଅବସ୍ଥା ଦୟନୀୟ ହୋଇପଡିଛି । ଦୀର୍ଘ 25ବର୍ଷ ହେଲା ଏକ ପାନ୍ଥଶାଳାର ନିର୍ମାଣ ସମ୍ପୂର୍ଣ୍ଣ ହେବାର ନା ଧରୁନି । ତେଣେ ବର୍ଷ ବର୍ଷ ଧରି ଏପରି ଅବହେଳାର ଶିକାର ହୋଇ ବିଲୋପ ହେବାକୁ ବସିଛି ବୌଦ୍ଧ ସହରର ଐତିହ୍ୟ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଖୋଜ ମନ୍ଦିର ପୂଜକ ଓ ଜିଲ୍ଲାବାସୀ ।
ବୌଦ୍ଧ ଜିଲ୍ଲାରେ ରହିଛି କେନ୍ଦ୍ର ପ୍ରତ୍ନତତ୍ତ୍ବ ଅଧୀନରେ ଥିବା ଦୁଇ ଦୁଇଟି ଐତିହାସିକ ବିଭବ । କିନ୍ତୁ ପ୍ରଶାସନିକ ତତ୍ପରତା ଓ ରାଜନୈତିକ ଇଛାଶକ୍ତି ଅଭାବରୁ ଏବେ ଏହି ବିଭବ ଅବହେଳିତ ହୋଇ ପଡିଥିବା ଅଭିଯୋଗ ହୋଇଛି । ଅଷ୍ଟମ ଶତାବ୍ଦୀରେ ନିର୍ମିତ ଗନ୍ଧରାଡିର ଚାରିଶମ୍ଭୁ ମନ୍ଦିରର ଆବଶ୍ୟକ ପାରିପାର୍ଶ୍ବିକ ଉନ୍ନତି ହୋଇପାରୁନାହିଁ । ଏପଟେ ଦୀର୍ଘ 25 ବର୍ଷ ହେଲା ମନ୍ଦିର ସମ୍ମୁଖରେ ଏକ ଧର୍ମଶାଳା ନିର୍ମାଣ ଆରମ୍ଭ ହୋଇଛି ଯେ ତାହା ସମ୍ପୂର୍ଣ୍ଣ ହେବାର ନାମ ଧରୁନି ।
ଏବେ ତାହା ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସେହିପରି କୋଟି କୋଟି ଟଙ୍କା ବ୍ୟୟରେ ଆଉ ଏକ ପାନ୍ଥଶାଳାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ତାହା ସାଧାରଣ ଲୋକଙ୍କ କାମରେ ଆସୁନାହିଁ । ଯାହା ଫଳରେ ସମ୍ପୃକ୍ତ ସ୍ଥାନ ଏବେ ବୁଦୁବୁଦିଆ ଜଙ୍ଗଲ ହୋଇ ବିଷଧର ସରୀସୃପଙ୍କ ଆବାସ ସ୍ଥାନ ପାଲଟିଛି ।
ତେଣୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଏହି ବିଶ୍ବ ପ୍ରସିଦ୍ଧ ସ୍ଥାନର ଉନ୍ନତି ପାଇଁ ଏହି ଦୁଇ ଧର୍ମଶାଳା ଓ ପାନ୍ଥଶାଳାକୁ କାର୍ଯ୍ୟକ୍ଷମ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ