ବୌଦ୍ଧ: ବ୍ଲକ ମୁଖ୍ୟାଳୟରେ ରହିଛି ଚାଷୀଙ୍କ ପାଇଁ ସମବାୟ ସମିତି କାର୍ଯ୍ୟାଳୟ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଚାଷୀଙ୍କ ସହାୟତା କେନ୍ଦ୍ର ଘରର ଅବସ୍ଥା ନଦେଖିଲେ ବିଶ୍ବାସ କରିହେବ ନାହିଁ। ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ସଦର ମହକୁମାରେ ରହିଛି ଚାଷୀ ଙ୍କ ସହାୟତା ପାଇଁ ସମବାୟ ସମିତି କାର୍ଯ୍ୟାଳୟ ଦୀର୍ଘ 25 ବର୍ଷ ତଳେ ଗଠନ ହୋଇଥିଲା ଏହି କାର୍ଯ୍ୟାଳୟ । ବର୍ତ୍ତମାନ ଏହି ସମିତିର ଘରକୁ ଦେଖିଲେ ଏକ ଭୂତକୋଠୀ ଭଳି ମନେହେବ ।
ଏହି କାର୍ଯ୍ୟାଳୟକୁ କର୍ମଚାରୀମାନେ ମନମୁଖୀ ଆସୁଥିବାରୁ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏପଟେ ଘରର ଅବସ୍ଥା ନକହିବା ଭଲ । ଦୁଇଟି କୋଠରୀକୁ ବର୍ଷା ଦିନେ କେବଳ ଜରିପାଲ ହିଁ ଭରସା। ସେହିପରି ସମିତିର ସମ୍ପାଦକ ନିଜେ ଅତ୍ୟନ୍ତ ଅସହାୟ ତଥା ଦୟନୀୟ ଅବସ୍ଥାରେ ରହି କୌଣସି କାର୍ଯ୍ୟକୁ ସଠିକ ଭାବରେ ତୁଲାଇ ପାରୁନାହାନ୍ତି ।
ଏପଟେ ସମିତିର ଦୁଇ ବଖରା ଦଦରା ଘରର ଜାଗା ରେକର୍ଡ ମଧ୍ୟ ଅନ୍ୟ ବିଭାଗ ନାରେ ଥିବା ନିବନ୍ଧକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଧାନ ମଣ୍ଡି ଖୋଲିବା ସମୟରେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି ଚାଷୀ ଅଭିଯୋଗ କରିଛନ୍ତି ।
ବୌଦ୍ଧ ସମବାୟ ବିଭାଗର ଏକ ଶାଖାର ଏଭଳି ଅବସ୍ଥା ଦେଖିଲେ ଚାଷୀ କେତେ ସୁଫଳ ପାଉଥିବେ ତାହା ସହଜରେ ଅନୁମେୟ । ତୁରନ୍ତ ଏଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ