ବୌଦ୍ଧ: ଦୋଳ ପୂର୍ଣ୍ଣିମା ଅବସରରେ ଜିଲ୍ଲାର କବି ଓ କବୟିତ୍ରୀଙ୍କୁ ନେଇ ନିଆରା ଢଙ୍ଗରେ ବସନ୍ତ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ । ଏଥିରେ ବିଶେଷ ଭାବରେ ରଙ୍ଗର ପର୍ବ ହୋଲି ଓ ପଳାସ ଫୁଲକୁ ନେଇ କବିତା ପାଠ ହୋଇଥିଲା । ଫଗୁଣର ଆଗମନରେ ପ୍ରକୃତି ଅପରୂପ ସୌନ୍ଦର୍ଯ୍ୟରେ ଭରପୁର ହୋଇଉଠିଛି ।
ବିଶେଷ ଭାବରେ ବାସହୀନ ପଳାସ ଫୁଲ ସମସ୍ତଙ୍କୁ ବିମୋହିତ କରିଥାଏ । ରବିବାର ଦୋଳ ପୂର୍ଣ୍ଣିମା ଅବସରରେ ବୌଦ୍ଧ ପୁସ୍ତକ ମେଳା ମଞ୍ଚରେ ବସନ୍ତ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର କୋଣ ଅନୁକୋଣରୁ ଶତାଧିକ କବି କବୟିତ୍ରୀ ଯୋଗ ଦେଇ ଏହି ବସନ୍ତ ମିଳନ ଉତ୍ସବରେ ଋତୁରାଜଙ୍କ ବର୍ଣ୍ଣନା କରିଥିଲେ ।
ହୋଲି ଉତ୍ସବ କୋରୋନା କଟକଣା ଯୋଗୁଁ ଫିକା ପଡିଥିବା ବେଳେ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଫଗୁଣ ଉତ୍ସବ ନିଆରା ଢଙ୍ଗରେ ପାଳନ କରାଯାଇଛି । ଉତ୍ସବରେ ବଜୈଷ୍ଠ ନାଟ୍ୟକାର ହରିହର ପ୍ରଧାନ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏଭଳି ନିଆରା ବସନ୍ତ ମିଳନ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ