ବୌଦ୍ଧ : ନଦନଦୀରେ ଭରପୁର ବୌଦ୍ଧ ଜିଲ୍ଲା । ଏହି ଜିଲ୍ଲାର ଅଧିବାସୀଙ୍କ ପ୍ରମୁଖ ପନ୍ଥା ଚାଷ କାର୍ଯ୍ୟ । ହେଲେ ଏଠାରେ ଜଳସେଚନର ସମସ୍ୟା ଲାଗି ରହିଥିବାରୁ ନାନା ସମସ୍ୟା ଦେଖା ଦେଇଛି । ବିଶେଷତଃ ଏଠିକାର ତଳ ମୁଣ୍ଡରେ ଅନେକ ସମୟରେ ଜଳସେଚନର ସମସ୍ୟା ଲାଗି ରହୁଛି । ଏହାକୁ ହୃଦୟଙ୍ଗମ କରି କେନ୍ଦ୍ରର ବିଶେଷଜ୍ଞ ଦଳ ଉକ୍ତ ଅଞ୍ଚଳର ପରିଦର୍ଶନ କରି ଜିଲ୍ଲାର ଆଉ ଦୁଇଟି ସ୍ଥାନରେ ବ୍ୟାରେଜ ନିର୍ମାଣ ପାଇଁ ଯାେଜନା କରିଛନ୍ତି (Barrage to be constructed in Boudh district) । ତେବେ ବିଶେଷଜ୍ଞ ଦଳ ଉକ୍ତ ଅଞ୍ଚଳର ପରିଦର୍ଶନ ପରେ ଚାଷୀ ଏନେଇ ବେଶ ଆଶା ବାନ୍ଧି ବସିଛି ।
ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଅଧିକାଂଶ ଅଧିବାସୀ ଚାଷ କାର୍ଯ୍ୟ ଉପରେ ନିର୍ଭରଶୀଳ । ଏହି ଜିଲ୍ଲା ଦେଇ ମହାନଦୀ ସମେତ ସାଲୁଙ୍କୀ, ଲକ୍ଷ୍ମୀ, ବାଘ, ତେଲନଦୀ, ଖଡଙ୍ଗ ନଦୀ ଭଳି ଅନେକ ନଦୀ ନାଳ ପ୍ରବାହିତ ହେଉଛି । ଜିଲ୍ଲାର ପାଲଝାର ଠାରେ ସାଲୁଙ୍କୀ ସେଚ ପ୍ରକଳ୍ପ ଓ ଶଗଡାଠାରେ ବାଘ ଜଳସେଚନ ପ୍ରକଳ୍ପ ରହିଥିବା ବେଳେ ଉଭୟ କଣ୍ଟାମାଳ ଓ ହରଭଙ୍ଗା ବ୍ଲକରେ କୌଣସି ବୃହତ ଜଳସେଚନ ପ୍ରକଳ୍ପ ନାହିଁ ।
କେବଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଉଠା ଜଳସେଚନ ପ୍ରକଳ୍ପ ଏସବୁ ସ୍ଥାନରେ ବିକଳ୍ପ ହୋଇ ରହିଛି । ଗୁରୁଜୀମୁଣ୍ଡା ଠାରେ ସାଲୁଙ୍କୀ ନଦୀର ଉପର ମୁଣ୍ଡରେ ଓ ଖଡଙ୍ଗ ବ୍ୟାରେଜ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା । ବର୍ତ୍ତମାନ ଉକ୍ତ ଦୁଇ ସ୍ଥାନରେ ବ୍ୟାରେଜ ନିର୍ମାଣ ପାଇଁ କେନ୍ଦ୍ରରୁ ଏକ ଉଚ୍ଚ ବିଶେଷଜ୍ଞ ଦଳ କ୍ଷେତ୍ର ପରିଦର୍ଶନ କରି ଫେରିବା ପରେ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ବେଶ ଆନନ୍ଦ ପ୍ରକାଶ ପାଇଛି ।
ଏହାମଧ୍ୟ ପଢ଼ନ୍ତୁ. ୨୦ ବର୍ଷ ହେଲାଣି ସରୁନି ବ୍ୟାରେଜ ନିର୍ମାଣ, ଜଳସେଚନରୁ ବଞ୍ଚିତ ୫ ପଞ୍ଚାୟତବାସୀ
କିନ୍ତୁ ବ୍ୟାରେଜ ନିର୍ମାଣ ପୂର୍ବରୁ ଏହାର ଶ୍ରେୟ ନେବାକୁ ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଯାଇଥିବା ଚର୍ଚ୍ଚା ହେଉଛି। ସେପଟେ ମହାନଦୀରେ ମଧ୍ୟ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଆନିକଟ ନିର୍ମାଣ କରାଯାଇ ଜଳ ସଂରକ୍ଷଣ କରାଯିବାକୁ ଦାବି ହୋଇଛି ।
ଏହାମଧ୍ୟ ପଢ଼ନ୍ତୁ. ମହାନଦୀ ଗର୍ଭରେ ବ୍ୟାରେଜ ଓ ଆନିକଟ ନିର୍ମାଣ କରିବାକୁ ଦାବି
ଏ ସମ୍ପର୍କରେ ଚାଷୀ ଅରୁଣ କୁମାର ମେଣ୍ଡଲୀ କହିଛନ୍ତି "ବୌଦ୍ଧ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା । ଏଠାରେ ବିଭିନ୍ନ ନଦୀ, ନାଳ ପ୍ରଭାବିତ ହୋଇଛି । ତେବେ ଏହି ନଦୀ ଭିତରୁ ୨ଟି ନଦୀ ହେଉଛି ସାଲୁଙ୍କୀ ଓ ବାଘ ନଦୀ । ତେବେ ଏଠାରେ ଖଡ଼ଙ୍ଗ ସହ ଗୋର୍ଜିମୁଣ୍ଡାରେ ୨ଟି ପ୍ରକଳ୍ପ ହେବାକୁ ଯାଉଛି । ଯାହାକୁ ନେଇ ଚାଷୀ ମହଲରେ ଖୁସି ଦେଖିବାକୁ ମିଳିଛି । ତେବେ ଏହାରୁ ଭିତରେ ଯଦି ଏକ ଚେକଡ୍ୟାମ ନିର୍ମାଣ ହୁଅନ୍ତା ତାହାଲେ ଚାଷୀଙ୍କ ପାଇଁ ବଡ଼ ଖୁସିର ଖବର ହେବ ।" ତେବେ ପଶ୍ଚିମ ଓଡ଼ିଶାର କୃଷି ପ୍ରଧାନ ଜିଲ୍ଲାରେ ଜଳସେଚନର ପର୍ଯ୍ୟାପ୍ତ ସୁଯୋଗ ରହିଥିଲେ ମଧ୍ୟ ତାର ବିନିଯୋଗ ହୋଇପାରୁନଥିବା ଅଭିଯୋଗ ହୋଇଛି ।
ଇଟିଭି ଭାରତ, ବୌଦ୍ଧ