ବୌଦ୍ଧ : ବ୍ୟାଙ୍କ ଅଛି, ଏଟିଏମ ମଧ୍ୟ ଅଛି, ହେଲେ ଏଟିଏମର ସେବା ଗ୍ରାହକଙ୍କୁ ମିଳୁନାହିଁ । ତାପୁଣି ଦିନେ କିମ୍ବା ଦୁଇ ଦିନ ନୁହେଁ ଦୀର୍ଘଦିନ ଧରି ଏଭଳି ଅବସ୍ଥା । ଏଭଳି କିଛି ଅଭିଯୋଗ କରିଛନ୍ତି ପଲସାଗୋରାର ସ୍ଥାନୀୟ ଜନସାଧାରଣ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଅନ୍ୟତମ ବ୍ୟବସାୟିକ ସ୍ଥାନ ହେଲା ପଲସାଗୋରା । ଏଠାରେ ଷ୍ଟେଟବ୍ୟାଙ୍କର ଏକ ଶାଖା ଖୋଲାଯାଇଛି ।
ବ୍ୟାଙ୍କର ଠିକ ସମ୍ମୁଖରେ ଏକ ଏଟିଏମ କାଉଣ୍ଟର ଗ୍ରାହକଙ୍କ ସେବା ପ୍ରଦାନ ନିମନ୍ତେ ଖୋଲାଯାଇଛି । କିନ୍ତୁ ଏହା ସେବା ଦେବ କଣ, ଓଲଟା ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । କାରଣ ମାସର ଅଧିକାଂଶ ଦିନ ଏହି ଏଟିଏମ କାଉଣ୍ଟରର ସଟର ବନ୍ଦ ଥାଏ । ଏପଟେ ଲୋକେ ସୋନପୁର ପର୍ଯ୍ୟନ୍ତ ଟଙ୍କା ଉଠାଣ ପାଇଁ ଯାଉଥିବା ଅଭିଯୋଗ କରିଛନ୍ତି ।
ଏହାର କାରଣ ଜାଣିବାକୁ ଆମେ ସମ୍ପୃକ୍ତ ବ୍ୟାଙ୍କ ଶାଖାରେ ଯୋଗାଯୋଗ କରିବାରୁ ଏହି ଏଟିଏମ ସହିତ ଦହ୍ୟା ଏଟିଏମ ଏକ ସଂସ୍ଥା ଦାୟିତ୍ୱ ରେ ରହିଛି ଏବଂ ଉକ୍ତ ସଂସ୍ଥା ବୌଦ୍ଧ ରୁ ଏହାକୁ ଦୂରତ୍ୱ ଯୋଗୁଁ ପରିଚାଳନାରେ ସମସ୍ୟା ହେତୁ ସୋନପୁର ସହିତ ସଂଯୋଗ କରାଯିବାର କାର୍ଯ୍ୟକ୍ରମ କରାଯାଉଛି ଓ ଅତିଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି ସୂଚନା ଦେଇଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ