ବୌଦ୍ଧ: ଜଳଛାୟା ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ପଡିଆ ଜମିକୁ ଆମ୍ବ ବଗିଚା ଦର୍ଶାଇ ଅର୍ଥ ହଡପ କରିବା ସହିତ ଫାର୍ମ ପଣ୍ଡ୍ ନିର୍ମାଣରେ ଜେସିବି ମେସିନ ବ୍ୟବହାର ପରେ ବର୍ତ୍ତମାନ ପୁଣି ଆଡି ବନ୍ଧ ନିର୍ମାଣରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି ।
ଦୁର୍ନୀତିର ଗନ୍ତାଘର ପାଲଟିଛି ଜଳଛାୟା ପ୍ରକଳ୍ପ ବିଭାଗ । ବାରମ୍ବାର ବିଭାଗ ନାମରେ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ହେଉଥିବା ବେଳେ ଏନେଇ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳଛାୟା ପ୍ରକଳ୍ପ ଅଧୀନରେ ଜଳର ସୁରକ୍ଷା ସହିତ ମୃତ୍ତିକା ସଂରକ୍ଷଣ କରି ହିତାଧିକାରୀଙ୍କ କାର୍ଯ୍ୟରେ ଲାଗିବା ନେଇ ଲକ୍ଷ୍ୟ ରହିଥିଲା ।
କିନ୍ତୁ ଅନେକ ସ୍ଥାନରେ ଏସବୁ ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହୋଇଛି । ଗତ କିଛି ଦିନ ପୂର୍ବରୁ ହରଭଙ୍ଗା ବ୍ଲକର ମହାନଦୀ କୂଳରେ ଥିବା ପଡିଆ ଜମିକୁ ଆମ୍ବ ବଗିଚା ଦର୍ଶାଇ ବ୍ୟାପକ ଅର୍ଥ ହରିଲୁଟ୍ର ଅଭିଯୋଗ ହୋଇଥିବା ବେଳେ ମୁଣ୍ଡିପଦର ପଞ୍ଚାୟତରେ ଫାର୍ମ ପଣ୍ଡ୍ ନିର୍ମାଣରେ ଶ୍ରମିକ ବଦଳରେ ଜେସିବି ମେସିନ ସାହାଯ୍ୟରେ ବନ୍ଧ ନିର୍ମାଣ ବିଭାଗର ଦୁର୍ନୀତି ସାମନାକୁ ଆସିଛି ।
ବର୍ତ୍ତମାନ ପୁଣିଥରେ ଆଡି ବନ୍ଧ ନିର୍ମାଣରେ ଦୁର୍ନୀତି ହେଉଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଟିକରପଡା ପଞ୍ଚାୟତ ବହଲପଡା ଗ୍ରାମ ନିକଟରେ ନିର୍ମିତ ଲକ୍ଷାଧିକ ଟଙ୍କାର ଆଡି ବନ୍ଧରେ ଟୋପାଏ ମଧ୍ୟ ପାଣି ରହୁନଥିବା ସହ ଏହାର ମାଟି କେନାଲ ନିର୍ମାଣ ନାମରେ ବ୍ୟାପକ ଅର୍ଥ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏସବୁ କେନାଲ ପୋତି ହୋଇ ପଡିଥିବା ବେଳେ ଅଞ୍ଚଳର ଚାଷ ଜମିକୁ ଆଦୌ ଜଳସେଚନ ହୋଇପାରୁନାହିଁ । ଏ ନେଇ ବୁଦ୍ଧିଜୀବୀ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ