ବରଗଡ: କୋରୋନା କାଳରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ । ଡରାଉଛି ପେଟ୍ରୋଲ ଓ ଡିଜେଲ ଦର । ସରକାରଙ୍କ ନିୟମ ଅନୁସାରେ ବସ, କାର ଆଦି ଯାତ୍ରୀବାହି ଗାଡି ମାନଙ୍କରେ କମ ମାତ୍ରାରେ ଯାତ୍ରୀ ବହନ କରିବାକୁ ନିୟମ ରହିଛି । ୨୦ ଦିନ ହେଲାଣି ବସ ଚଳାଚଳ ଆରମ୍ଭ ହୋଇଥିବା ବେଳେ ବସରେ ଯାତ୍ରୀ ଆଦୌ ହେଉନାହାଁନ୍ତି | ମାତ୍ର ପାଞ୍ଚ ଛଅ ଜଣ ଯାତ୍ରୀ ନେଇ ବସ ଯିବା ଆସିବା କରୁଥିବା ବେଳେ ନା ତେଲ ଖର୍ଚ୍ଚ ବାହାରୁଛି ନା ଷ୍ଟାଫ ଖର୍ଚ୍ଚ । ଫଳରେ ବସ ମାଲିକ ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି ।
କୋରୋନା ଭୟରେ ଆଗଭଳି ଲୋକେ ଯିବା ଆସିବା କରୁନଥିବା ବେଳେ ସରକାରୀ ଚାକିରିଆ ହେଉ ବା ବେସରକାରୀ ଚାକିରିଆ କିମ୍ବା ବେପାରୀ ମାନେ କିନ୍ତୁ ନିଜ ନିଜର କର୍ମ କ୍ଷେତ୍ରକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏପରିକି କୋରୋନା ଭୟରେ ଅନେକ ନିଜ ବ୍ୟବସ୍ଥାରେ ଯା ଆସ କରୁଛନ୍ତି । ସେପଟେ ଟ୍ୟାକ୍ସି କିମ୍ବା ଟେମ୍ପୋ ମାଲିକମାନେ ବାହାର ଜିଲ୍ଲାକୁ ଯାତ୍ରା କରିବାକୁ ଭୟ କରୁଥିବାବେଳେ ଅଚିହ୍ନା ଯାତ୍ରୀମାନଙ୍କୁ ନେବାକୁ ଭୟ କରୁଛନ୍ତି। ସେପଟେ କ୍ରମାଗତ ଭାବରେ ବଢୁଛି ତେଲ ଦର । ଯାହାଦ୍ବାରା ଭଡା ବଢୁଛି । ଆଉ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି ଗାଡି ମାଲିକଙ୍କ ଠୁ ଆରମ୍ଭ କରି ଯାତ୍ରୀ ।
ଲକଡାଉନ ପୂର୍ବରୁ ଗତ ମାର୍ଚ୍ଚ ମାସ ପ୍ରଥମରେ ପେଟ୍ରୋଲ ଦର ଲିଟର ପିଛା ୭୧ ଟଙ୍କା ୯୦ ପଇସା ରହିଥିବା ବେଳେ ଡିଜେଲ ଲିଟର ୬୪ ଟଙ୍କା ୬୫ ପଇସା ରହିଥିଲା । ମାତ୍ର ଲକଡାଉନ ଖୋଲିବା ପରେ ଏବେ ପେଟ୍ରୋଲ ଦର ୮୧ ଟଙ୍କା ୭୩ ପଇସା ରହିଥିବା ବେଳେ ଡିଜେଲ ଦର ୮୦ ଟଙ୍କା ରହିଛି | ତିନି ମାସରେ ପେଟ୍ରୋଲ ଦର ୧୦ ଟଙ୍କା ବଢିଥିବା ବେଳେ, ଡିଜେଲ ଦର ୧୫ ଟଙ୍କାକୁ ବୃଦ୍ଧି ପାଇଛି । ଫଳରେ ଯାତ୍ରୀମାନଙ୍କ ଠାରୁ ଅଧିକ ଭଡା ନେଉଛନ୍ତି ଗାଡି ମାଲିକ । ସମୟ ଥିଲା ଲକଡାଉନ ପୂର୍ବରୁ ବରଗଡ ସହର ଦେଇ ପ୍ରତିଦିନ ୨୦୦ ରୁ ଅଧିକ ଘରୋଇ ବସ ଚଳାଚଳ କରୁଥିବା ବେଳେ ୧୮ ଗୋଟି ସରକାରୀ ବସ ଏବଂ ୧୦ ରୁ ଅଧିକ ଯୋଡା ଟ୍ରେନ ଚଲାଚଳ କରୁଥିଲା ମାତ୍ର ବର୍ତମାନ ସମୟରେ ମାତ୍ର ୮ ଗୋଟି ଘରୋଇ ବସ ଗୋଟିଏ ମାତ୍ର ସରକାରୀ ବସ ଏବଂ କେବଳ ୨ ଗୋଟି ଟ୍ରେନ ବଲାଙ୍ଗୀର ଏବଂ କୋରାପୁଟ ରୁ ବରଗଡ ଦେଇ ଭୁବନେଶ୍ବର କୁ ଚଳାଚଳ କରୁଛି | ଲକଡାଉନ ପୂର୍ବରୁ ପ୍ରତିଦିନ ପାଖାପାଖି ୫ ହଜାରରୁ ଅଧିକ ଯାତ୍ରୀ ଯାତାୟାତ କରୁଥିବାବେଳେ ଏବେ ହଜାରେ ଯାତ୍ରୀ ଯିବାଆସିବା କରୁଛନ୍ତି | କେବଳ ଯାତ୍ରୀ ନୁହନ୍ତି ବସ, ଟ୍ୟାକ୍ସି ଓ ଟେମ୍ପୁ ମାଲିକଙ୍କ ଅବସ୍ଥା ବି ଅତି ଶୋଚନୀୟ ହୋଇପଡିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ