ବାଲେଶ୍ବର: ଆସନ୍ତା 29ରେ ବାଲେଶ୍ବରରେ ହେବ ମତଦାନ । ଶୃଙ୍ଖଳିତ ନିର୍ବାଚନ ପାଇଁ ସଜାଗ ଜିଲ୍ଲା ପ୍ରଶାସନ । ଏଣୁ ଜିଲ୍ଲାର ସବୁ କୋଣ ଅନୁକୋଣରେ ହେଉଛି ତନତନ ଛାନବିନ । ପ୍ରଶାସନ ନେତୃତ୍ବରେ ଜିଲ୍ଲା ଅବକାରୀ ବିଭାଗ ଭୋଗରାଇ ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଚଢାଉରେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଜଣେ ମହିଳାଙ୍କ ସମେତ 7 ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ନେତୃତ୍ବରେ ଜିଲ୍ଲା ଅବକାରୀ ବିଭାଗ ଏହି ଚଢାଉ କରିଥିଲା । ଏଥିରେ ଅବକାରୀ ବିଭାଗର 3 ଜଣ ଇନ୍ସପେକ୍ଟର, 2 ସବ୍ ଇନ୍ସପେକ୍ଟର, 10 ଜଣ ପୁରୁଷ ଓ ମହିଳା କନେଷ୍ଟବଲ ଏବଂ 5 ଜଣ ଏପିଆର ଫୋର୍ସ ସାମିଲ ଥିଲେ ।
ଭୋଗରାଇ ବ୍ଲକ ଅନ୍ତର୍ଗତ ରାଇପୁର, ଖଳାବାଡିଆ ବର୍ତ୍ତନା କୃଷ୍ଣନଗର ଚନ୍ଦନେଶ୍ବର ଓ ଉଦୟପୁର ଅଞ୍ଚଳରେ ଚଢାଉ କରାଯାଇଥିଲା । ଏଠାରୁ ପ୍ରାୟ 34 ପେଟି ବେଙ୍ଗଲୀ ବିଅର ବିଦେଶୀ ମଦ ବଡ ବୋତଲ 10 ଓ ଛୋଟ ବୋତଲ 10 ଏବଂ ଦେଶୀ ମହୁଲୀ ମଦ 100 ଲିଟର ଏପରି ମୋଟ 270 ଲିଟର ମଦ ଜବତ କରାଯାଇଛି । ଏଥିସହିତ ଜଣେ ମହିଳାଙ୍କ ସମେତ 7 ଜଣଙ୍କୁ ଗିରଫ କରାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ