ବାଲେଶ୍ବର: ବାଲ୍ୟ ବିବାହ ଯାଞ୍ଚ ପାଇଁ ମନ୍ଦିରରେ ଚାଇଲଡ଼ ଲାଇନ ଟିମ । ତେବେ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଳକର ଶ୍ରୀ ଗୋପୀନାଥ ସୂତାକଳ ପରିସରରେ ଥିବା କାଳୀ ମନ୍ଦିରରେ ଏହି ଚଢ଼ାଉ କରାଯାଇଛି ।
ଖବର ଅନୁଯାୟୀ, ଉକ୍ତ ମନ୍ଦିରରେ ପ୍ରତିଦିନ ଶତାଧିକ ବିବାହ ଅନୁଷ୍ଠିତ ହେଉଛି । ମାତ୍ର ଅଧିକାଂଶ ବିବାହ ବାଲ୍ୟ ବିବାହ ବୋଲି ଅଭିଯୋଗ ହେବାପରେ ଚାଇଲଡ଼ ଲାଇନର କର୍ମକର୍ତ୍ତାମାନେ ସୋମବାର ମନ୍ଦିରରେ ପହଞ୍ଚିଥିଲେ । ଏହାପରେ ମନ୍ଦିର କମିଟି ନିକଟରେ ବିବାହ ପାଇଁ ଜମା କରାଯାଇଥିବା ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା ।
ସେଥିମଧ୍ୟରୁ ଅନେକ ବିବାହର ବୟସ ପ୍ରମାଣପତ୍ର କମିଟି ଉପସ୍ଥାପନ କରିବାରେ ଅକ୍ଷମ ହୋଇଥିଲା । ଏହାକୁ ନେଇ ମନ୍ଦିର କମିଟିକୁ ଚାଇଲଡ଼ ଲାଇନ ପକ୍ଷରୁ ତାଗିଦ କରାଯାଇଥିବା ଜଣାପଡିଛି । ତେବେ ସରକାରଙ୍କ ନିୟମ ଅନୁସାରେ ମନ୍ଦିରରେ ବିବାହ ପଞ୍ଜିକରଣ ନଥାଇ ବେଆଇନ ଭାବେ ଅର୍ଥ ନେଇ ବାହାଘର କରାଯାଉଥିବା ଅଭିଯୋଗ ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ