ବାଲେଶ୍ବର: ଗେଷ୍ଟ ହାଉସରୁ ବଙ୍ଗୀୟ ଯୁବତୀ ଉଦ୍ଧାର । ଏହି ଦୁଇ ବଙ୍ଗୀୟ ଯୁବତୀଙ୍କୁ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କିଆଁଗଡିଆ ମଠ ସମ୍ମୁଖରେ ଥିବା ସୁଭଦ୍ରା ଗେଷ୍ଟ ହାଉସରୁ ମଙ୍ଗଳବାର ରାତିରେ ଉଦ୍ଧାର କରାଯାଇଛି । ଖବର ଅନୁଯାୟୀ, ତେବେ 3 ଜଣ ଯୁବକ ଉକ୍ତ ଯୁବତୀ ଦୁଇଜଣଙ୍କୁ ନିଉ ଦୀଘା ଅଞ୍ଚଳରୁ ଜୋର ଜବରଦସ୍ତ ଉଠାଇ ଆଣି ସୁଭଦ୍ରା ଗେଷ୍ଟ ହାଉସରେ ରଖିଥିବା କୁହାଯାଉଛି । ପରେ ଯୁବତୀ ଦୁଇଜଣ ଅସହାୟ ଅବସ୍ଥାରେ କାନ୍ଦୁଥିବା ବେଳେ ମେରାଇନ ଥାନା ପୋଲିସ ଓ ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କରାଯାଇଛି ।
ବର୍ତ୍ତମାନ ହୋଟେଲର ସମସ୍ତ କର୍ମଚାରୀ ଓ ମାଲିକ ଫେରାର ଥିବା ଜଣାପଡିଛି । ଯୁବତୀ 2 ଜଣଙ୍କ ମଧ୍ୟରୁ ଜଣକ ଘର ପଶ୍ଚିମବଙ୍ଗର ହାୱଡା ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣକ ଘର ପଶ୍ଚିମବଙ୍ଗର ଡାଇମଣ୍ତ ହାରବର ଅଞ୍ଚଳର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ସୁଭଦ୍ରା ଗେଷ୍ଟ ହାଉସରେ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକଳାପ ବହୁ ଦିନ ଚାଲିଆସୁଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।
ବର୍ତ୍ତମାନ ଏହି ଘଟଣାକୁ ନେଇ ଆସୁଥିବା ଭିନ୍ନ ଭିନ୍ନ ମତ ଘଟଣାର ସତ୍ୟତାକୁ ଆହୁରି ସନ୍ଦେହ ଘେରକୁ ଠେଲି ଦେଉଛି । ଗୋଟିଏ ପଟେ ଉଦ୍ଧାର କରିଥିବା ଯୁବକ ଏହାକୁ ଗଣଦୁଷ୍କର୍ମ କହୁଥିବାବେଳେ ସେପଟେ ଉଦ୍ଧାର 2 ଯୁବତୀଙ୍କ ପରିବାର ଭୟରେ ଘଟଣା ବିଷୟରେ ମୁହଁ ଖୋଲିବାକୁ ନାରାଜ ।
ତେବେ ପୂର୍ବରୁ ଅନେକ ଥର ସନ୍ଦେହ ଘେରରେ ଥିବା ସୁଭଦ୍ରା ଗେଷ୍ଟ ହାଉସର ଗୁମର ଏହି ବଙ୍ଗୀୟ ଯୁବତୀ ଉଦ୍ଧାର ପରେ ଖୁବଶୀଘ୍ର ପଦାକୁ ଆସିବ । ଏହି ଘଟଣାକୁ ମେରାଇନ ପୋଲିସ ଗୁରୁତ୍ବ ସହ ନେବା ସହ ତଦନ୍ତ ଜାରି ରଖିଛି । ତେବେ ଯୁବତୀମାନେ ଏବେ ଯାଏଁ ପୋଲିସ ପାଖରେ କୌଣସି ଅଭିଯୋଗ କରିନଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ