ବଲାଙ୍ଗିର: ରାଜ୍ୟରେ ଜାରି ରହିଛି ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ଗରମ । ତେବେ ଏହାରି ଭିତରେ ସବୁଠୁ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି ପାଣି ସମସ୍ୟା । ଯାହା ଲୋକଙ୍କ ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରିଛି । ତେବେ ବଲାଙ୍ଗିର ବାଗଭାଡି ଗାଁରେ ଦେଖାଦେଇଛି ଉତ୍କଟ ପାଣି ସମସ୍ୟା । ଏହି ଗାଁରେ ରହିଛି ଗୋଟିଏ ନଳକୂପ ଓ ଗୋଟିଏ କୂଅ ହେଲେ ନଳକୂପ ଟି ଦୀର୍ଘଦିନ ହେବ ଖରାପ ହୋଇପଡିରହିଛି । ଅନ୍ୟପଟେ କୂଅର ପାଣି ମଧ୍ୟ ଶୁଖି ଯାଇଛି । ଫଳରେ ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ ।
ସେପଟେ ଗାଁରେ ଥିବା ପୋଖରୀ ମଧ୍ୟ ଏବେ ଶୁଖିଲା ପଡିଥିବା ବେଳେ କାଦୁଅ ପାଣିକୁ ଏଠିକାର ମଣିଷ ଓ ପଶୁ ଉଭୟ ବ୍ୟବହାର କରୁଛନ୍ତି । ଯେଉଁଥିପାଇଁ ଲୋକଙ୍କୁ ଅନେକ ପ୍ରକାରର ରୋଗ ହେଉଥିବାର ଏମାନେ ଅଭିଯୋଗ କରିଛନ୍ତି । ତେବେ ଖରା ଯାଇ ଏବେ ବର୍ଷା ଆସିବାକୁ ଥିବାବେଳେ ଏଯାଏଁ ଗ୍ରାମବାସୀ ପାଣି ଟୋପାଏ ପାଇଁ ଡହଲ ବିକଳ ହେଉଛନ୍ତି ।
ପାଣି ସମସ୍ୟାକୁ ନେଇ ଗ୍ରାମବାସୀ ଅନେକଥର ସରପଞ୍ଚ ଓ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହେଲେ ଏଯାଏଁ ତାହାର କୌଣସି ସମାଧାନ ହୋଇପାରିନାହିଁ । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ମଧ୍ୟ ଏମାନଙ୍କୁ ଠକି ଚାଲିଛି । ସବୁଥର ଭଳି ଚଳିତଥର ମଧ୍ୟ ନିର୍ବାଚନ ପୁର୍ବରୁ ପାଣି ସମସ୍ୟା ଠିକ ହେବା ନେଇ ନେତାଙ୍କ ଠାରୁ ମିଳିଥିଲା ଅନେକ ପ୍ରତିଶୃତି । ହେଲେ ସବୁଠି ବିଫଳ ହେବା ପରେ ଗ୍ରାମବାସୀମାନେ ଆନ୍ଦୋଳନକୁ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ସେପଟେ ଏହି ପାଣି ସମସ୍ୟାକୁ ନେଇ ବିଡିଓ କିମ୍ବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଚୁପ ଥିବାବେଳେ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ବଲାଙ୍ଗିରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ