ବଲାଙ୍ଗିର: ଧରାପୃଷ୍ଠରେ ଅବତରଣ କରିଛନ୍ତି ମା' । ବିଭିନ୍ନ ଶକ୍ତିପୀଠ ତଥା ପୂଜାମଣ୍ଡପରେ ଆଜି(ଶୁକ୍ରାବାର) ମା' ଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଛି । ଏନେଇ ବଲାଙ୍ଗିର ସହର ଉତ୍ସବ ମୁଖର ହୋଇ ଉଠିଛି । ତେବେ ସହରର କିଛି ମଣ୍ଡପରେ ନବରାତ୍ର ପୂଜା ଚାଲିଥିବା ବେଳେ ଆଉ କିଛି ମଣ୍ଡପରେ ବିଲ୍ବବରଣ ପରେ ପୂଜା ଆରମ୍ଭ ହୋଇଛି । ତେବେ ସୁନ୍ଦର ସାଜସଜ୍ଜା ସାଙ୍ଗକୁ ମା' ଙ୍କ ଭକ୍ତିରେ ସାରା ସହର ଡୁବିଯାଇଛି ।
ସହରରେ ପ୍ୟାଲେସ ଲାଇନ, ରୁଗୁଡିପଡା, ରାଧାରାଣୀ ପଡା, ଗାନ୍ଧୀନଗର ପଡା, ମାଲପଡା ଭଳି ଦୁର୍ଗା ମଣ୍ଡପରେ ମାଙ୍କ ନବରାତ୍ର ପୂଜା ଚାଲିଛି । ଏହି ମଣ୍ଡପରେ ମା' ଙ୍କ କାରତୀୟଣୀ ରୂପ ପୂଜା ପାଉଛି । ଗୋଟିଏ ପଟେ ମା' ଙ୍କ ଆରଧାନାରେ ସହରରେ ଭକ୍ତିମୟ ପରିବେଶ ଥିବାବେଳେ ଅନ୍ୟପଟେ ମନଲୋଭା ସୁନ୍ଦର ସାଜସଜ୍ଜା ମଧ୍ୟ ଲୋକଙ୍କୁ ବେଶ ଆକୃଷ୍ଟ କରାଉଛି । ଅନେକ ପୂଜା ମଣ୍ଡପ ନିଜ ଉଦ୍ୟମରେ ତୋରଣର ସାଜସଜ୍ଜା କରିଥିବା ବେଳେ କିଛି ମଣ୍ଡପ ବାହାରୁ ଏଥିପାଇଁ ବିଜ୍ଞ କଳାକାରମାନଙ୍କୁ ଲଗାଇ ପ୍ରସ୍ତୁତ କରିଛନ୍ତି ଆଖି ଝଲସିଆ ତୋରଣ । ବିଶେଷ କରି ତୋରଣ ସାଜସଜ୍ଜାରେ ରାଜେନ୍ଦ୍ର ପଡା, ରାଧାରାଣୀ ପଡା, ପେଲେସ ଲାଇନ ଭଳି କିଛି ମଣ୍ଡପ ନିଜ ସାଜ ସଜ୍ଜା ପାଇଁ ପ୍ରଶଂସା ସାଉଁଟିଛି ।
ବଲାଙ୍ଗିରର ସବୁ ପୂଜା ମଣ୍ଡପରେ ଆଜି ଷଷ୍ଠୀ ପୂଜା ଚାଲିଥିବାବେଳେ ଆସନ୍ତାକାଲି(ଶନିବାର) ସପ୍ତମୀ ପୂଜା ଅନୁଷ୍ଠିତ ହେବ । ଏଥିପାଇଁ ସବୁ ମଣ୍ଡପର ପ୍ରସ୍ତୁତି ଚୂଡ଼ାନ୍ତରେ ପହଞ୍ଚିଛି ।
ବଲାଙ୍ଗିରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ