ବଲାଙ୍ଗୀର: ଦିନକୁ ଦିନ ଅସହ୍ୟ ହେଇଛି କୋରୋନା କଷଣ । ସଂକ୍ରମଣ ପାଇଁ ଲକଡାଉନ ଓ ସଟଡାଉନ ଗରିବଙ୍କ ପାଇଁ କାଳ ହୋଇଛି । ଲକଡାଉନ ଲାଗୁ ହେବା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅସହାୟ ଲୋକ । ତାଙ୍କର ଏହି ବିପତ୍ତି ସମୟରେ ନିଜ ଖର୍ଚ୍ଚରୁ ଦୁଇ ମୁଠା ଖାଇବାକୁ ଦେଇ ଚର୍ଚ୍ଚାରେ ବଲାଙ୍ଗୀରର ରଘୁନାଥ ନାୟକ ।
ଜିଲ୍ଲାରେ ଥିବା ଗରିବ ଅସହାୟଙ୍କୁ ଦୁଇ ବେଳା ଖାଇବା ଦୁର୍ବିସହ ହୋଇଛି । ଏଭଳି ପରିସ୍ଥିତିରେ ବିଭିନ୍ନ ସଂଗଠନ ଲୋକଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିବା ବେଳେ ଏବେ ଜଣେ ଯୁବକ ନିଜ ଉଦ୍ୟମରେ ଗରିବ ଲୋକଙ୍କୁ ସେବା ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଯୁବକ ଜଣକ ହେଉଛନ୍ତି ବଲାଙ୍ଗୀର ସହରର ରଘୁନାଥ ନାଏକ । ଯିଏକି ପେସାରେ ଜଣେ ମେଡ଼ିସିନ ରିପ୍ରେଜେଣ୍ଟଟିଭି। ତେବେ ସେ ପୂର୍ବରୁ ନିଜ ପକେଟରୁ ଖର୍ଚ୍ଚ ବହନ କରି ଗ୍ରାମଞ୍ଚଳରେ ସ୍ବାସ୍ଥ୍ୟ ଶିବିର ଖୋଲି ଆସୁଥିଲେ । ବର୍ତ୍ତମାନ କୋରୋନା ପାଇଁ ସେସବୁ ବନ୍ଦ ଥିବା ବେଳେ ଏହି ଯୁବକ ଜଣକ ନିଜର ସେବା ମନୋଭାବକୁ ବନ୍ଦ କରି ନାହାନ୍ତି ।
ରାତି ପାହିଲେ ନିଜ ସ୍କୁଟି ଧରି ସହର ବୁଲିଥାନ୍ତି । ସହର ମଧ୍ୟରେ ଅସହାୟ ଅବସ୍ଥାରେ ଥିବା ଗରିବଙ୍କୁ ମାସ୍କ ସାନିଟାଇଜର ସହ ଦୁଇ ବେଳା ଖାଇବା ବାଣ୍ଟି ଆସୁଛନ୍ତି । ସେ ନିଜ ଦରମାରୁ ଖର୍ଚ୍ଚ କରୁଥିବା ସହିତ ଖାଇବା ପ୍ରସ୍ତୁତ କରି ଗରିବ ଅସହାୟଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଆସୁଛନ୍ତି । ତାଙ୍କର ଉତ୍ସର୍ଗୀକୃତ ସେବା ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ