ବଲାଙ୍ଗୀର: ବସ୍ତୁବାଦୀ ଦୁନିଆରେ ମାନବିକତାରେ ପରିଚୟ ଦେଲେ ବଲାଙ୍ଗୀରର ଜଣେ ବ୍ୟକ୍ତି । ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ୍ ପାଇଲେ କିନ୍ତୁ ତାଙ୍କର ଟିକିଏ ବି ଲୋଭ ଭାବ ଆସିଲାନି । ପୋଲିସକୁ ଜଣାଇବା ପରେ ଅଳଙ୍କାର ଭର୍ତ୍ତି ବ୍ୟାଗ୍ଟିକୁ ମହିଳାଙ୍କୁ ଫେରିଇ ଦେଇଛନ୍ତି ଲୋଇସିଂହା ଜଡ଼ାମୁଣ୍ଡା ଗ୍ରାମର ସୁଧୀର ସେନାପତି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ମହିଳା ଜଣକ।
ଲୋଇସିଂହା ଥାନା ଅଞ୍ଚଳର ସବିତା ଗାନ୍ଧୀ ବଲାଙ୍ଗୀରରୁ ଘରକୁ ଫେରୁଥିବା ବେଳେ ତାଙ୍କ ଭ୍ୟାନିଟ ବ୍ୟାଗ୍ ହଜି ଯାଇଥିଲା ଏନେଇ ସେ ସ୍ଥାନୀୟ ଲୋଇସିଂହା ଥାନାରେ ଅଭିଯୋଗ କରିଥିଲେ। ଏହି ବ୍ୟାଗରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ରହିଥିଲା । ସୁନା ଚୁଡ଼ି, ମୋବାଇଲ ଓ ଅନ୍ୟ ଗୁରୁତ୍ଵ ପୂର୍ଣ୍ଣ କାଗଜ ପତ୍ର ମଧ୍ୟ ଥିଲା । ପୋଲିସ ଏହି ଘଟଣାରେ ଖୋଜାଖୋଜି ଆରମ୍ଭ କରିଥିଲା । ସେପଟେ ସୁଧୀର ସେନାପତି ଏହି ବ୍ୟାଗଟିକୁ ବାଟରୁ ପାଇବା ପରେ ଥାନାରେ ଆସି ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ-ଅଟୋ ଡ୍ରାଇଭରଙ୍କ ମହାନତା, ଯାତ୍ରୀଙ୍କୁ ଫେରାଇଲେ ୮୦ ହଜାରରୁ ଅଧିକ ଟଙ୍କା
ପୋଲିସ୍ ସମ୍ପୃକ୍ତ ମହିଳାଙ୍କୁ ଏନେଇ ସୂଚନା ଦେବା ପରେ ସେ ଥାନାରେ ପହଞ୍ଚିଥିଲେ ଓ ସୁନା ଭର୍ତ୍ତି ଭ୍ୟାନିଟ୍ ବ୍ୟାଗ୍ଟିକୁ ନେଇଥିଲେ । ଏଥିସହ ସୁଧୀର ସେନାପତି ଓ ପୋଲିସର ଏହି କାମକୁ ସେ ପ୍ରଶଂସା କରିଥିଲେ ମହିଳା । ଯଦି ଅନ୍ୟ କେହି ଏହି ବ୍ୟାଗ ପାଇଥାନ୍ତା ତେବେ ଲୋଭରେ ପଡ଼ି ବୋଧ ଦୁଇ ବ୍ୟାଗଟିକୁ ଫେରାଇ ନଥାନ୍ତା । କିନ୍ତୁ ସୁଧୀର ବ୍ୟାଗରେ ଥିବା ସୁନା ଗହଣାକୁ ଲୋଭ ନକରି ଫେରାଇବା ନିଶ୍ଚୟ ପ୍ରଶଂସନୀୟ ।
ସବିତା ଗାନ୍ଧୀ ବଲାଙ୍ଗୀରରୁ ବସ ଯୋଗେ ଲୋଇସିଂହା ଆସିଥିଲେ । ଏଠି ବସ୍ଷ୍ଟାଣ୍ଡ ପାଖରେ ଏକ ଦୁର୍ଘଟଣା ଘଟିଥିବା ବେଳେ ସେଠାରେ ସେ ଉପସ୍ଥିତ ଥିଲେ । ଏହି ସମୟରେ ତାଙ୍କ ହାତରେ ଭ୍ୟାନିଟ ବ୍ୟାଗଟି ନଥିବା ସେ ଜାଣିପାରିଥିଲେ । ବହୁ ଖୋଜା ଖୋଜି କରିବା ପରେ ସେଠୁ ଫେରି ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ତୁରନ୍ତ ବସ୍ଷ୍ଟାଣ୍ଡ ଯାଇ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ବ୍ୟାଗଟିକୁ ଜଡ଼ା ମୁଣ୍ଡାର ସୁଧୀର ସେନାପତି ପାଇଥିବାର ଜଣା ପଡ଼ିଥିଲା । ସୁଧୀର ସେନାପତି ସଙ୍ଗେ ସଙ୍ଗେ ବ୍ୟାଗ୍ ମାଲିକର ପତ୍ତା ପାଇବା ପରେ ପୋଲିସକୁ ବ୍ୟାଗଟିକୁ ହସ୍ତାନ୍ତର କରିଥିଲେ। ସୁଧୀର ସେନାପତି ଲୋଇସିଂହା ବସ୍ ଷ୍ଟାଣ୍ଡରେ ସୁପର ଭାଇଜର କାମ କରନ୍ତି । ଗତକାଲି ବ୍ୟାଗଟି ବସ୍ ଷ୍ଟାଣ୍ଡରେ ପଡ଼ିଥିବାର ଦେଖି ନିଜ ହେପାଜତରେ ରଖିଥିଲେ । ବ୍ୟାଗରେ ଯାହା ସବୁ ସାମଗ୍ରୀ ଥିଲା ସେସବୁକୁ ସେ ମହିଳାଙ୍କୁ ଫେରାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର