ବଲାଙ୍ଗୀର: ଜାଲ ସାର୍ଟିଫିକେଟ ମାମଲାର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । କେବଳ ଡାକ ବିଭାଗ ନୁହେଁ ଏହି ରାକେଟର ଚେର ବିଭିନ୍ନ ବିଭାଗକୁ ଲମ୍ବିଥିବା ଜଣାପଡିଛି । ଏହି ମାମଲାର ଅଧିକ ତଦନ୍ତ ପାଇଁ ୪ ଅଭିଯୁକ୍ତଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ତେବେ ଏତେ ବଡ ନେଟୱର୍କକୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ସଫଳ ହେବ ନା ନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ଗତକାଲି(ମଙ୍ଗଳବାର) ଏହି ଟିମ ମୁଖ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ଘରେ ଚଢ଼ାଉ କରିଥିଲେ । ସମାନ ଭାବରେ ପରବର୍ତ୍ତୀ ସମୟରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ବଲାଙ୍ଗୀର ଏସଡିଜେଏମ କୋର୍ଟରେ ହାଜର କରିଥିଲେ । ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ତାଙ୍କ ସହଯୋଗୀ ଆଲୋକ ଉଦଗାତା ସହିତ ତ୍ରିବିହାରି ପଣ୍ଡା ଓ ପରେଶ ବୁଡେକକୁ ପାଞ୍ଚ ଦିନିଆ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଥିଲେ । ତେବେ କୋର୍ଟ 5 ତାରିଖ ଅର୍ଥାତ୍ ଆଜିଠୁ ତିନିଦିନିଆ ପୋଲିସ ରିମାଣ୍ଡ ପ୍ରଦାନ କରିଛନ୍ତି । ସେହିପରି ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ସମନ ଜାରି କରି ତଦନ୍ତ ପାଇଁ ଡାକିବ ବୋଲି ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ସ୍ପଷ୍ଟ କରାଯାଇଛି ।
ସୂଚନା ଅନୁସାରେ, ମନୋଜ ମିଶ୍ର ଓ ତାର ସହଯୋଗୀ ଆଲୋକ ଉଦଗାତା ଗତ ସାତ ବର୍ଷ ହେବ ଏହି ଜାଲ ସାର୍ଟିଫିକେଟ ଧନ୍ଦା ଚଳାଇ ଆସୁଥିଲେ । ସେମାନେ ଗୋଟିଏ ସାର୍ଟିଫିକେଟକୁ ଏକ ଲକ୍ଷରୁ ପାଞ୍ଚ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ । ତେବେ ଡାକ ବିଭାଗର ଅଭିଯୋଗ ପରେ ଏହାସବୁ ନକଲି ସାର୍ଟିଫିକେଟ ବୋଲି ଜଣାପଡିବା ପରେ ପୋଲିସ ଏହି ଘଟଣାରେ ତନାଘନା ଆରମ୍ଭ କରିଥିଲା । ଏହି ମାମଲା ସାମ୍ନାକୁ ଆସିବା ପରେ ଏହାର ଚେର କେବଳ ଡାକ ବିଭାଗ ନୁହେଁ ସବୁ ସରକାରୀ ବିଭାଗ ପର୍ଯ୍ୟନ୍ତ ଲମ୍ବି ଥିବାର ଅଭିଯୋଗ ଆସିବାରେ ଲାଗିଛି । ବଲାଙ୍ଗୀର ସମବାୟ ବିଭାଗ, ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗରେ ଶତାଧିକ ଲୋକେ ଏହି ଜାଲ ସାର୍ଟିଫିକେଟରେ ଚାକିରି କରୁଥିବାର ଜଣାପଡ଼ିଛି ।
ତେବେ ବଲାଙ୍ଗୀର ସମବାୟ ବିଭାଗର କୁଡା ସିଂହା ପ୍ରାଥମିକ ସମବାୟ ସମିତିର ସମ୍ପାଦକ ମଧ୍ୟ ନକଲି ସାର୍ଟିଫିକେଟ ମାମଲାରେ ନିଲମ୍ବିତ ହୋଇଛନ୍ତି । ସମାନ ଭାବରେ ଏବେ ଗୁଡାଭେଳା ବ୍ଲକ ଅନ୍ତର୍ଗତ ଘୁନା ପ୍ରାଥମିକ ସମବାୟ ସମିତିର ସମ୍ପାଦକ ରଶ୍ମି ରଞ୍ଜନ ବେହେରା ମଧ୍ୟ ଜାଲ ସାର୍ଟିଫିକେଟ ଦେଇ 2016 ରୁ ଚାକିରୀ କରୁଥିବାର ଅଭିଯୋଗ ଆସିଛି । ସେ ନକଲି ଏମବିଏ ସାର୍ଟିଫିକେଟ ଦେଇଥିବାର ଅଭିଯୋଗ ଆସିଥିବା ବେଳେ ଏହାର ବିଭାଗୀୟ ତଦନ୍ତ ଜାରି ରହିଥିବାର ସୂଚନା ମିଳିଛି ।
କେବଳ ଗୋଟିଏ ଦୁଇଟି ବିଭାଗ ନୁହେଁ ଯେଉଁ ସରକାରୀ ବିଭାଗରେ ହାତ ଦେଲେ ସେଠି ମଧ୍ୟ ମାଳ ମାଳ ନକଲି ପ୍ରମାଣପତ୍ରରେ ଚାକିରି ଅଭିଯୋଗ ଆସୁଛି । ତେବେ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ ଚାରି ଶହରୁ ଊର୍ଦ୍ଧ୍ବ ବିଇଡି ସାର୍ଟିଫିକେଟ ଅନ୍ୟ ରାଜ୍ୟର ହୋଇଥିବା ବେଳେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବାର କୁହାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ସମ୍ପୃକ୍ତ ରାଜ୍ୟମାନଙ୍କର ବିଶ୍ୱବିଦ୍ୟାଳୟମାନଙ୍କୁ ଏସବୁ ନେଇ ଚିଠି କରାଯାଇଛି । ପରବର୍ତ୍ତୀ ସମୟରେ ଜାଲ ଜଣାପଡିଲେ ପୋଲିସରେ ମାମଲା ଦିଆଯିବ ବୋଲି ଡିଇଓ ସୂଚନା ଦେଇଛନ୍ତି ।
ସେପଟେ ଜାଲ୍ ସାର୍ଟିଫିକେଟ ନେଇ ସୂଚନା ଅଧିକାର ବଳରେ ତଥ୍ୟ ମାଗିଥିବା ସୂଚନା ଅଧିକାର କର୍ମୀ ନୀଳମଣି ମିଶ୍ର କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ସେ କହିଛନ୍ତି, " ସମବାୟ ବିଭାଗ ଓ ଶିକ୍ଷା ବିଭାଗରେ ଜାଲ ସାର୍ଟିଫିକେଟର ଶତାଧିକ ଚାକିରି କରୁଥିବାର ତଥ୍ୟ ଜାଣିଶୁଣି ଦିଆଯାଉ ନାହିଁ । ସେହିପରି କିଛି ତଥ୍ୟ ଦିଆଯାଇଥିଲେ ସୁଦ୍ଧା ତାଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ପୂର୍ବରୁ ମଧ୍ୟ କ୍ରାଇମବ୍ରାଞ୍ଚ ବଲାଙ୍ଗୀରର ଅନେକ ମାମଲାର ତଦନ୍ତ ଦାୟିତ୍ବ ନେଇ ଆଜି ଯାଏଁ ସଫଳ ହୋଇନାହିଁ ।"
ଇଟିଭି ଭାରତ, ବଲାଙ୍ଗୀର