ଅନୁଗୋଳ: ପୌରପାଳିକାର ସଫେଇ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଘର ସଭାପତି ତପନ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ସଫେଇ କର୍ମଚାରୀ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ । ଏହାପରେ ପୌର ପରିଷଦ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସଙ୍ଘ ଦାବି କରିଛି ଯେ ଗତ କିଛିଦିନ ପୂର୍ବେ କାର୍ଯ୍ୟରତ ଜଣେ ସଫେଇ କର୍ମଚାରୀ ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହେବା ପରେ ତରବରିଆ ଭାବେ ବ୍ୟବଛେଦ କରି ଦିଆଯାଇଥିଲା । ସଙ୍ଘ ବାରମ୍ବାର କୋଭିଡ ପରୀକ୍ଷା ପାଇଁ ଦାବି କରିଥିଲେ ମଧ୍ୟ କରାଯାଇନଥିଲା । ସରକାର ସଫେଇ କର୍ମଚାରୀଙ୍କୁ କୋରୋନା ଯୋଦ୍ଧା ଆଖ୍ୟା ଦେଇଥିବାରୁ ମୃତ କର୍ମଚାରୀଙ୍କ ପରୀକ୍ଷା କରାଯାଇଥିଲେ ହୁଏତ କିଛି ହୋଇଥାଆନ୍ତା ।
ତେଣୁ ମୃତ କର୍ମଚାରୀଙ୍କ ପରିବାରକୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରିବା ସହ ଜଣେ ସଦସ୍ୟଙ୍କୁ ଚାକିରୀ ଦେବାକୁ ସଙ୍ଘ ଦାବି କରିଛି । ତେବେ ନିର୍ବାହୀ ଅଧିକାରୀ ସେମାନଙ୍କ ସହ ଆଲୋଚନା କରି ଆସନ୍ତା ୭ ଦିନ ଭିତରେ ଏହାର ତଦନ୍ତ କରିବାକୁ କହିବାରୁ ସଙ୍ଘ ଆନ୍ଦୋଳନରୁ ଓହରିଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ