ଅନୁଗୋଳ: ଦୀର୍ଘଦିନ ପରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ପ୍ରାଥମିକ ପର୍ଯ୍ୟାୟରେ ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ଅନୁଗୋଳ ଜିଲ୍ଲାର ୨୪୯ ସ୍କୁଲର ପ୍ରାୟ ୧୭ ହଜାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ । ଏଥିପାଇଁ ବିଦ୍ୟାଳୟ ମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଅନୁଗୋଳ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ଖୋଲିବା ନେଇ ସମସ୍ତ ପ୍ରସ୍ତୁତି ଖୁବ ଜୋର ସୋରରେ ଚାଲିଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଳୟର ଶ୍ରେଣୀ ଗୃହ ଗୁଡିକୁ ସାନିଟାଇଜ କରୁଛନ୍ତି । ଏହା ବ୍ୟତୀତ କିଭଳି ପିଲାଙ୍କୁ ଛୋଟ ଛୋଟ ସେକ୍ସନ କରି କୋଭିଡ ନିୟମ ଅନୁସାରେ ଶିକ୍ଷା ଦାନ କରିହେବ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ଏନେଇ ବିଦ୍ୟାଳୟକୁ ସଫାସତୁରା କରିବା ସହ ବିଶୋଧନ କରାଯାଉଛି । ବିଦ୍ୟାଳୟଗୁଡିକର ପ୍ରସ୍ତୁତି ଯାଞ୍ଚ କରିବାକୁ ଗୁରୁବାର ରାଜ୍ୟ ଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶିକା ତଥା ଅନୁଗୋଳ ଜିଲ୍ଲା ପାଇଁ ନିଯୁକ୍ତ ନୋଡାଲ୍ ଅଫିସର ମୀନାକ୍ଷି ପଣ୍ଡା ପରିଦର୍ଶନରେ କରିଥିଲେ ।
ସେପଟେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ସ୍ବାଗତ କରିଛନ୍ତି । କିଭଳି କୋଭିଡ କଟକଣାକୁ ମାନି ସେମାନେ ଶିକ୍ଷାଦାନ କରିବେ ସେଥିପାଇଁ ସରକାର ନେଉଥିବା ପଦକ୍ଷେପକୁ ସେମାନେ ସ୍ବାଗତ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ