ବାର୍ସିଲୋନା: ୩-୦ରେ ଇଂଲଣ୍ଡକୁ ମାତ ଦେଲା ଭାରତୀୟ ମହିଳା ହକି ଦଳ । ଯୁବା ଷ୍ଟ୍ରାଇକର୍ ଲାଲରେମସିଆମିଙ୍କ ହ୍ୟାଟ୍ରିକ୍ ଗୋଲ୍ ବଳରେ ଭାରତୀୟ ମହିଳା ହକି ଦଳ ୩-୦ ଗୋଲ୍ରେ ଇଂଲଣ୍ଡକୁ ପରାସ୍ତ କରିଛି । ସ୍ପାନିସ ହକି ସଂଘର ଶତବାର୍ଷିକୀ ଅବସରରେ ବାର୍ସିଲୋନାରେ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ତେବେ ଏଥିରେ ଶନିବାର ଇଂଲଣ୍ଡକୁ ଭେଟିଥିଲା ଭାରତ ମହିଳା ହକି ଦଳ । ଏହି ମ୍ୟାଚ୍ରେ ମିଜୋରାମର ଯୁବା ଷ୍ଟ୍ରାଇକର୍ ଲାଲରେମସିଆମିଙ୍କ ହ୍ୟାଟ୍ରିକ୍ ଗୋଲ୍ ବଳରେ ଇଂଲଣ୍ଡକୁ ୩-୦ରେ ମାତ ଦେଇଛି ଟିମ୍ ଇଣ୍ଡିଆ ।
ଏହି ମ୍ୟାଚ୍ରେ ହ୍ୟାଟ୍ରିକ୍ ଗୋଲ ସହ ଚମତ୍କାର ପ୍ରଦର୍ଶନ କରିଥିବା ୨୩ ବର୍ଷୀୟା ଲାଲରେମସିଆମି ମ୍ୟାଚ୍ର ୧୩ ମିନିଟ୍ରେ ପ୍ରଥମ ଗୋଲ ଦେଇଥିଲେ । ଏହାପରେ ତୁରନ୍ତ ୧୭ ତମ ମିନିଟ୍ରେ ଦ୍ବିତୀୟ ଗୋଲ ଦେଇଥିଲେ ଲାଲରେମସିଆମି । ସେହିଭଳି ୫୬ ମିନିଟରେ ତୃତୀୟ ଗୋଲ୍ ଦେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ ସେ । ତେବେ ଏହା ସହିତ ପ୍ରତିଯୋଗିତାରେ ପ୍ରଥମ ବିଜୟ ହାସଲ କରିଛି ଭାରତୀୟ ଦଳ । ପୂର୍ବ ଦୁଇଟି ମ୍ୟାଚ୍ରେ ଭାରତୀୟ ମହିଳା ଦଳ ଇଂଲଣ୍ଡ ଓ ସ୍ପେନ୍ ସହ ମୁହାଁମୁହିଁ ହୋଇଥିବା ବେଳେ ଉଭୟ ମ୍ୟାଚ୍ରେ ଯଥାକ୍ରମେ ୧-୧ ଏବଂ ୨-୨ ଗୋଲ୍ରେ ଅମୀମାଂସିତ ରହିଥିଲା । ସେହିଭଳି ପ୍ରତିଯୋଗିତାରେ ଅପରାଜିତ ଥିବାରୁ ଭାରତୀୟ ଦଳ ଟେବୁଲ୍ ଟପ୍ପର ଭାବେ ଫାଇନାଲ୍ ଖେଳିବା ମଧ୍ୟ ଏକ ପ୍ରକାର ନିଶ୍ଚିତ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ...Germany Spain Tour: ଭାରତୀୟ ମହିଳା ହକି ଦଳ ଘୋଷଣା, ଦୀପ୍ଗ୍ରେସ୍ ଉପଅଧିନାୟିକା
ତେବେ ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚ୍ରେ ଭାରତୀୟ ଦଳ ପ୍ରଥମରୁ କଡ଼ା ଟକ୍କର ଦେଇଥିବା ବେଳେ ଦଳ ପକ୍ଷରୁ ନେହା ଗୋୟଲ୍ ପ୍ରଥମ ଗୋଲ୍ ପ୍ରୟାସ କରିଥିଲେ । ଏହାକୁ ପ୍ରତିପକ୍ଷ ଇଂଲଣ୍ଡ ଦଳର ରକ୍ଷଣଭାଗ ଭଣ୍ଡୁର କରି ଦେଇଥିଲେ । ୧୩ତମ ମିନିଟରେ କିନ୍ତୁ ଓଡ଼ିଆ ଖେଳାଳୀ ଦୀପ୍ଗ୍ରେସ୍ ଏକ୍କା ମିଡ୍ ଫିଲ୍ଡରୁ ପଠାଇଥିବା ବଲ୍କୁ ଲାଲରେମସିଆମି ଗୋଲ୍ରେ ପରିଣତ କରି ଦେଇଥିଲେ । ୪ ମିନିଟ୍ ପରେ ଅର୍ଥାତ ୧୭ତମ ମିନିଟ ବେଳକୁ ଲାଲରେମସିଆମି ଦ୍ବିତୀୟ ଗୋଲ ଦେଇ ଭାରତକୁ ୨-୦ରେ ଆଗୁଆ କରାଇଥିଲେ । ଏହାପରେ ଆତ୍ମବିଶ୍ବାସ ସହ ଭାରତ ଏକାଧିକ ସୁଯୋଗ ସୃଷ୍ଟି କରିଥିଲା । ହେଲେ ସେସବୁ ହାତଛଡ଼ା ହୋଇଯାଇଥିଲା । ଚତୁର୍ଥ କ୍ବାର୍ଟରର ଶେଷ ୫ ମିନିଟ୍ ଭିତରେ ଲାଲରେମସିଆମି ବ୍ୟକ୍ତିଗତ ହ୍ୟାଟ୍ରିକ୍ ସହ ଦଳକୁ ଏକତରଫା ବିଜୟ ଦେଇଥିଲେ । ସୂଚନାଯୋଗ୍ୟ, ଭାରତ ରବିବାର ସ୍ପେନ୍ ସହ ଦ୍ବିତୀୟ ଥର ଖେଳିବ । ସ୍ପେନ୍ ବିପକ୍ଷ ପୂର୍ବ ମ୍ୟାଚ୍ ୨-୨ରେ ଅମୀମାଂସିତ ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ