ଇପୋ (ମାଲେସିୟା): ଭାରତର ବିଜୟଧାରା ଅବ୍ୟାହତ ରହିଛି । ଚଳିତ ସୁଲତାନ ଆଜଲାନ ଶାହା କପର ଶେଷ ଲିଗ ମ୍ୟାଚକୁ ଭାରତ ବିଶାଳ ସ୍କୋରରେ ଜିତି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଶକ୍ତିଶାଳୀ ଦଳ ଭାବେ ଉଦ୍ଭା ହୋଇଛି । ଶୁକ୍ରବାର ଖେଳାଯାଇଥିବା ପୋଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତ 10-0ଗୋଲ ବ୍ୟବଧାନରେ ବିଜୟ ହାସଲ କରିଛି । ତେବେ ଲିଗ ପର୍ଯ୍ୟୟର ୫ଟି ମ୍ୟାଚରୁ ୪ ବିଜୟ ଓ ଗୋଟିଏ ଡ୍ରସହ ୧୩ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଛି ।
ତେବେ ପୂର୍ବରୁ ଫାଇନାଲରେ ସ୍ଥାନ ପକ୍କା କରିସାରିଥିବା ଭାରତ ପାଇଁ ଏହି ମ୍ୟାଚ କେବଳ ଔପଚାରିକ ଥିଲା। ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ଜାପାନକୁ ୨-୦ ଗୋଲରେ ହରାଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଦକ୍ଷିଣ କୋରିଆ ସହ ୧-୧, ତୃତୀୟ ମ୍ୟାଚରେ ମାଲେସିୟାକୁ ୪-୨ ଏବଂ ଚତୁର୍ଥ ମ୍ୟାଚରେ କ୍ୟାନାଡାକୁ ୭-୩ ଗୋଲରେ ପରାସ୍ତ କରିଥିଲା । ତେବେ ଶନିବାର ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲାରେ ଶକ୍ତିଶାଳୀଦକ୍ଷିଣ କୋରିଆକୁ ଭେଟୁଛି ଭାରତ ।
ଅନ୍ୟପଟେ ଆଜିର ଏହି ହାଇ ସ୍କୋରିଂ ମ୍ୟାଚରେ ଡ୍ରାଗଫ୍ଲିକର ମନଦୀପ ସିଂହ (୫୦ତମ, ୫୧ତମ) ଓ ବରୁନ କୁମାର (୧୮ତମ, ୨୫ତମ) ଦୁଇଟି ଲେଖାଏଁ ଗୋଲ ଦେଇଥିଲେ । ଏହି ଦୁଇ ଖେଳାଳିଙ୍କ ବ୍ୟତିତ ବିବେକ ପ୍ରସାଦ (ପ୍ରଥମ ମିନିଟ), ସୁମିତ କୁମାର (7ମ), ସୁରେନ୍ଦ୍ର କୁମାର (୧୯ତମ), ସିମରନଜିତ ସିଂହ (୨୯ତମ), ନୀଳକଣ୍ଠ ଶର୍ମା (୩୬ତମ), ଅମିତ ରୋହିଦାସ (୫୫ତମ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ।
ତେବେ ଏହି ଟୁର୍ଣ୍ଣାମେଣ୍ଟର 5ଥରର ଚମ୍ପିଅନ ଭାରତ ଆଜି ମ୍ୟାଚରେ ପୋଲାଣ୍ଡ ଉପରେ ସମ୍ପୂର୍ଣ୍ଣ ରୂପେ ଭାରି ପଡିଥିଲା । ମ୍ୟାଚ ଭାରତ ପାଇଁ ଏକତରଫା ହୋଇଥିଲା । ସେହିପରି 3ୟ ମ୍ୟାଚରେ ହ୍ୟାଟ୍ରିକ ଗୋଲ ଓ ଆଜି ମ୍ୟାଚରେ ଦୁଇଟି ଗୋଲ ଦେଇ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ଗୋଲ ସ୍କୋରର ହୋଇଯାଇଛନ୍ତି ଭାରତର ମନଦୀପ ସିଂ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ