ନୂଆଦିଲ୍ଲୀ: ଆଇପିଏଲର 27ତମ ମ୍ୟାଚରେ ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିଥିଲା । ଚେନ୍ନାଇ ଓ ମୁ୍ମ୍ବାଇ ଭିତରେ ହୋଇଥିବା ଟକ୍କରରେ ମୁମ୍ବାଇ ବିଜୟୀ ହୋଇଛି । ପୋଲାର୍ଡଙ୍କ ପାୱାରଫୁଲ ବ୍ୟାଟିଂରେ ଚେନ୍ନାଇକୁ 4 ୱିକେଟରେ ହରାଇ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ ।
ପ୍ରଥମେ ଟସ ଜିତି ଫିଲ୍ଡିଂ ନଷ୍ପତ୍ତି ନେଇଥିଲା ମୁ୍ମ୍ବାଇ ଇଣ୍ଡିଆନ୍ସ । ପଡିଆକୁ ଓହ୍ଲାଇଥିଲେ ସିଏସକେର ଦୁଇ ଓପନର । ଅମ୍ବାତି ରାୟୁଡୁ ମାତ୍ର 27 ବଲ୍ରୁ ଅବିଶ୍ବସନୀୟ 72 ରନ୍ର ଇଂନିସ ଖେଳିଛନ୍ତି । ରାୟୁଡୁଙ୍କ ଏହି ମାରାଥନ ଇଂନିସରେ 4ଟି ଚୌକା ଓ 7ଟି ଛକା ସାମିଲ ରହିଛି । ମ୍ୟାଚର 12ତମ ଓଭରରେ ସୁରେଶ ରାଇନା ଶେଷ ସିଏସକେ ବ୍ୟାଟ୍ସମ୍ୟାନ ଭାବେ ଦଳୀୟ ସ୍କୋର 116-4ରେ ଆଉଟ୍ ହୋଇଥିଲେ । ତେବେ ଏହାପରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସହ ମିଶି ରାୟୁଡୁ, ଚେନ୍ନାଇର ସ୍କୋର 200 ପାର୍ କରାଇଥିଲେ । ପ୍ରାୟ ସମସ୍ତ ମୁମ୍ବାଇ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ । ଫାପ୍ ଡୁପ୍ଲେସିସ ମଧ୍ୟ 28 ବଲ୍ରୁ 50 ଓ ମୋଇନ ଅଲୀ 36 ବଲ୍ରୁ 58 ରନ୍ର ବିସ୍ଫୋରକ ଇଂନିସ ଖେଳିଥିଲେ । ସିଏସକେ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 218 ରନ୍ ସଂଗ୍ରହ କରିଥିଲା । ଫଳରେ ମୁମ୍ବାଇ ଇଣ୍ଡିଆନ୍ସକୁ 219 ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା ।
ମୁ୍ମ୍ବାଇ ବି କିଛି କମ ନୁହେଁ । 219 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ରୋହିତ୍ ଶର୍ମା ଓ କ୍ୱିଣ୍ଟନ୍ ଡି’କକ୍ । ଦୁହେଁ ପ୍ରଥମ ୱିକେଟ୍ ଦଳ ପାଇଁ ୭୧ ରନ୍ ଯୋଡ଼ିଥିଲେ । ଏହି ଯୋଡିକୁ ଭାଙ୍ଗିଥିଲେ ଶାର୍ଦ୍ଦୁଲ ଠାକୁର । ରୋହିତ ଶର୍ମା 24 ବଲରେ 4ଟି ଚୌକା ଓ 2ଟି ଛକ୍କା ମାରି ଶାର୍ଦ୍ଦୁଳଙ୍କ ବଲର ଶିକାର ହୋଇଥିଲେ । ରୋହିତଙ୍କ ପରେ ଡି' କକଙ୍କୁ ଆଉଟ କରିଥିଲେ ମୋଇଲ ଅଲ୍ଲୀ । ସୂର୍ଯ୍ୟକୁମାରଙ୍କୁ ପାଭିଲିୟନ ପଠାଇଥିଲେ ରବୀନ୍ଦ୍ର ଜାଡେଜା । ଦଳୀୟ ସ୍କୋର 81ବେଳେ ଦଳ 3 ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା । ଏହା ପରେ ପଡିଆକୁ ଓହ୍ଲାଇଥିଲେ ପୋଲାର୍ଡ । ତାଙ୍କୁ ସାଥ ଦେଇଥିଲେ କ୍ରୁଣାଳ । ଦୁହେଁ 89ରନ ଭାଗୀଦାରୀ କରିଥିଲେ । କ୍ରୁଣାଳ 23ବଲରେ 32ରନ କରି ସାମ କୁରାନଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା 2ଟି ଛକା ମାରି ଜବରଦସ୍ତ ଆରମ୍ଭ କରିଥିଲେ । ଆଉ ଏକ ଛକା ମାରିବା ପ୍ରୟାସରେ ଆଉଟ ହୋଇଥିଲେ । ଦଳକୁ ସମ୍ଭାଳିଥିଲେ ପୋଲାର୍ଡ । ନିଜର ସବୁ ଶକ୍ତି ଯୋଗାଇଥିଲେ ପୋଲାର୍ଡ । 34ବଲରେ ବିସ୍ଫୋରକ ବ୍ୟାଟିଂ କରି 87ରନ ସଂଗ୍ରହ କରିଥିଲେ ପୋଲାର୍ଡ । ତାଙ୍କ ସଂଗୃହିତ ରନରେ 6ଟି ଚୌକା ଓ 8ଟି ବଶାଳ ଛକା ସାମିଲ ଥିଲା । ଶେଷ ଓଭରରେ ମୁମ୍ବାଇକୁ 16ରନ ଦରକାର ଥିବା ବେଳେ ଷ୍ଟ୍ରାଇକରେ ପୋଲାର୍ଡ ରହି ମୁମ୍ବାଇକୁ ବିଜୟୀ କରିଥିଲେ । ପରାଜୟ ପରେ ବି ଚେନ୍ନାଇ ତାର ପ୍ରଥମ ସ୍ଥାନ ବଜାୟ ରଖିଛି । ମୁମ୍ବାଇ ଚତୁର୍ଥ ସ୍ଥାନରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ